Unknown

 

 

 

 

 

 

 

 

 

ଆହୁତି

କୃଷ୍ଣଚନ୍ଦ୍ର ତ୍ରିପାଠୀ

 

ଉତ୍ସର୍ଗ–

 

ମୋରି ପାଇଁ ଯେ ଜୀବନ ସାରା

ବହୁ ଦୁଃଖ କଷ୍ଟ ସହ୍ୟ କରି

ମୋର ସାଧନାର ପଥକୁ

ଚିରଦିନ ଉଜ୍ଜ୍ୱଳ ଓ ନିଷ୍କଣ୍ଟକ

କରି ଆସିଚନ୍ତି,

ମୋର ସେଇ ପ୍ରାଣସମା

ସହଧର୍ମିଣୀ

ଶ୍ରୀମତୀ ରେବତୀ ଦେବୀଙ୍କ ହାତରେ

ମୋର ଏଇ ଗରିବ କବି ଜୀବନର

ଗୋଟିଏ ସ୍ୱପ୍ନ ‘ଆହୁତି’

ମମତାର ଚୂଡ଼ାନ୍ତ ଚିହ୍ନ ସ୍ୱରୂପ

ଅର୍ପଣ କଲି–

–କୃଷ୍ଣଚନ୍ଦ୍ର ତ୍ରିପାଠୀ

•••

 

ବିଜ୍ଞପ୍ତି

 

ଇଂରେଜମାନେ ଖୋର୍ଦ୍ଧା ଅଧିକାର କଲାବେଳେ ଖୋର୍ଦ୍ଧାର ବୀର ଖଣ୍ଡାୟତମାନେ ମାତୃଭୂମିର ସ୍ୱାଧୀନତା ପାଇଁ ଯେଉଁ ତୁମୂଳ ସଂଗ୍ରାମ କରିଥିଲେ ତାର ପୂର୍ଣ୍ଣାଙ୍ଗ ଇତିହାସ ଏପର୍ଯ୍ୟନ୍ତ ଲେଖାଯାଇନି । ଖୋର୍ଦ୍ଧା ପାଇକ ବିଦ୍ରୋହ ଏବଂ ରାଜବିଦ୍ରୋହର ଐତିହାସିକ ଏବଂ କେତେକ କିମ୍ବଦନ୍ତୀମୂଳକ ଘଟଣାର ଭିତ୍ତି ଉପରେ ‘ଆହୁତି’ରେ ପ୍ରକାଶିତ କବିତାଗୁଡ଼ିକ ପ୍ରତିଷ୍ଠିତ ।

 

ଖୋର୍ଦ୍ଧା ଗଜପତି ରାଜାଙ୍କ ପ୍ରଧାନ ସଚିବ ଜୟୀ ରାଜଗୁରୁ ଏବଂ ପ୍ରଧାନ ସେନାପତି ବକ୍‍ସି ଜଗବନ୍ଧୁ ବିଦ୍ୟାଧରଙ୍କ ନେତୃତ୍ୱରେ କେତେ ଯେ ପାଇକ ସେନା ଦେଶର ଗୌରବ ପାଇଁ ଆତ୍ମବଳି ଦେଇଚନ୍ତି, ତାର ସୀମା ନାଇଁ । ସେମାନଙ୍କ ମଧ୍ୟରୁ ସମସ୍ତଙ୍କ ନାଁ ଇତିହାସରେ ନଥିଲେ ମଧ୍ୟ ସେମାନେ ସମସ୍ତେ ବାସ୍ତବିକ ଆମର ନମସ୍ୟ । ଜାତି ଦେଶ ସମାଜର ପ୍ରାଣକୁ ବଞ୍ଚାଇ ରଖିବାହିଁ ମାନବର ଧର୍ମ । ବର୍ଷ ବର୍ଷ ଧରି ଓଡ଼ିଶାର ଏକମାତ୍ର ସାମରିକ ଜାତି ପାଇକ ଖଣ୍ଡାୟତମାନେ ଏ ଦେଶରେ ଜାତୀୟତା ଓ ସ୍ୱାଧୀନତା ରକ୍ଷା କରି ଆସିଚନ୍ତି ।

 

ଖୋର୍ଦ୍ଧାର ପାଇକ ଯୁଦ୍ଧହିଁ ଖଣ୍ଡାୟତ ପାଇକମାନଙ୍କର ଶେଷ ଯୁଦ୍ଧ ଯହିଁରେ ସେମାନେ ଇଂରେଜମାନଙ୍କ ସହିତ ଶେଷ ଯୁଦ୍ଧ, ଯହିଁରେ ସେମାନେ ଇଂରେଜମାନଙ୍କ ସହିତ ପ୍ରାଣମୂର୍ଚ୍ଛି ଯୁଦ୍ଧ କରିଚନ୍ତି । ସେମାନଙ୍କର ରଣକୌଶଳ ସେମାନଙ୍କର ସମରଲିପ୍‍ସା ଦେଖି ଇଂରେଜ ସୈନ୍ୟମାନେ ସେ ସମୟରେ ଖୋର୍ଦ୍ଧା ଭିତରେ ପଶିବାକୁ ଆତଙ୍କିତ ହୋଇଚନ୍ତି, ଏକଥା ଇତିହାସ ସାକ୍ଷ୍ୟ ଦିଏ !

 

ଖୋର୍ଦ୍ଧା ଇଂରେଜମାନଙ୍କର ହସ୍ତଗତ ହେଲେ ମଧ୍ୟ ବୀର ଖଣ୍ଡାୟତମାନଙ୍କର ଆତ୍ମୋତ୍ସର୍ଗର ଚିତ୍ର ଲିଭିଯିବ ନାଇଁ । କବିର କବିତାରେ, ଶିଳ୍ପୀର ତୂଳିକାରେ ସେମାନେ ଅମର ହୋଇ ରହିଥିବେ ଏବଂ ଜାତିର ଜଡ଼ ପିଣ୍ଡରେ ପ୍ରାଣର ସଞ୍ଚାର କରୁଥିବେ ।

 

ମୋର ଏଇ କବିତାଗୁଡ଼ିକ ଓଡ଼ିଶାର ବିଭିନ୍ନ ସାହିତ୍ୟ ପତ୍ରିକାରେ ବହୁଦିନ ତଳେ ଆତ୍ମପ୍ରକାଶ କରିଥିଲା । ମୋର ଦେଶବାସୀ ବହୁ ସାହିତ୍ୟକ କବିପ୍ରାଣ ବନ୍ଧୁମୋର ସେ ପାଇକ କବିତାଗୁଡ଼ିକ ପଢ଼ି ସେଗୁଡ଼ିକର ଉଚ୍ଚ ପ୍ରଂଶସା କରି ସେଗୁଡ଼ିକ ବହି ଆକାରରେ ପ୍ରକାଶ କରିବାକୁ ମତେ ବହୁଥର ଚିଠି ଲେଖିଥିଲେ ।

 

ଆଜି ‘ଆହୁତି’ ନାଁରେ ସେଇ କବିତାଗୁଡ଼ିକ ପ୍ରକାଶ ପାଉଚି । ଦେଶବାସୀ ବନ୍ଧୁମାନେ ଆଗେ ମୋର ଏଇ ସାମାନ୍ୟ ଲେଖାଗୁଡ଼ିକ ଯେପରି ଆଦର କରି ଆସିଚନ୍ତି, ଆଶାକରେ ସେମାନଙ୍କର ସେଇ ଆଦର ମମତା ‘ଆହୁତି’ ପ୍ରତି ରହିବ । ଜୟହିନ୍ଦ୍‍ !

 

ବାଣପୁର

କୃଷ୍ଣଚନ୍ଦ୍ର ତ୍ରିପାଠୀ

ତା ୧୦-୭-୫୫

 

•••

 

ସୂଚୀପତ୍ର

 

୧.

ଜୟୀ ରାଜଗୁରୁଙ୍କ ଉତ୍ସାହବାଣୀ

୨.

ପୁରସ୍କାର

୩.

କଜଳାଗଣ୍ତ

୪.

ସୈନିକ ସମାଧି

୫.

ଏ ମାଟିର ଅମର ଶହୀଦ

୬.

ଜାତିର ଡାକ

୭.

ସୈନିକର ଅନ୍ତିମ ମାଗୁଣୀ

୮.

ଲାଲ୍‌ ମାଟିର ଖୋର୍ଦ୍ଧାଗଡ଼

୯.

ପାଇକ-ଟୋକା

୧୦.

ପାଇକ-ବଧୂର ଉଦ୍‌ବୋଧନ

୧୧.

ଛାତି ଫୁଲିଯାଏ

୧୨.

ଆହୁତି

•••

 

ଜୟୀ ରାଜଗୁରୁଙ୍କ ଉତ୍ସାହବାଣୀ

 

–୧–

 

‘‘ହେ ମୋରଖୋର୍ଦ୍ଧାର ଶତ ଖଣ୍ତାୟତ ବୀର !

ଜାତିର ଆହ୍ୱାନ ବାଣୀ

ଶୁଣି ତମେ ରହିନାହିଁ ନୀରବ ନିଶ୍ଚଳ;

ଛାଡ଼ି ପ୍ରିୟ ପୁରପଲ୍ଲୀ ଛାଡ଼ି ପ୍ରିୟ ଦରିଦ୍ର କୁଟୀର

ସକଳ ବନ୍ଧନ ମାୟା

ଥିଲା ଯାହା

ପରିବାରେ ତବ

କାଟି ଦେଇ ନିର୍ବିଚାରେ,

ଆସିଅଛ ବୀରବେଶେ

ଢାଳଖଣ୍ତା ଧରି

ସମର ପ୍ରାଙ୍ଗଣେ

ଏଇ ବରୁଣେଇ ତଳେ;

ସୁଦୂର ପଲ୍ଲୀର ସେଇ ଶ୍ୟାମଳ ଉତ୍ସଙ୍ଗେ

ରହିଥିବେ କନକ ପିତୁଳୀ ପରି

ପୁଅ ଝିଅ ତବ,

ସେ ଲୋକ ଲଳିତ ଓଠେ

ଫୁଟଥିବ ହାସ

ଶାରଦ ଚନ୍ଦ୍ରିକା ପରି

ସରଳ ତରଳ ବାଣୀ

ଫୁଟୁଥିବ

ବଦନୁ ତାଙ୍କରି

ପଚାରୁ ଥିବ କେ ବୋଉ !

ବାପା ପରା ଯାଇଛନ୍ତି

ଯୁଝ କରି କାହିଁ

ଆସିବେ କି ନାଇଁ ?

କୁଟୀର ବାହାରି ଯେବେ–

ଆସିଥିବ ଯୁଦ୍ଧ କରି

ଟମ୍‌ ଟମ୍‌ ଶୁଣି ଏଇ ଟମକ ବାଜଣା

ଭାଇ କା’ର ଦେଇଥିବ ଭାଇରେ ବିଦାୟ

ଆସିଥିବ ଗାଆଁ ମୁଣ୍ତ ବରଗଛ ଯାଏ

କହିଥିବ କାନେ କାନେ,

ଦେଶର ଗୌରବ ପାଇଁ,

ଜାତିର ସ୍ୱଧର୍ମ ପାଇଁ,

ଦେବୁନାଇଁ ପଛଘୁଞ୍ଚା କେବେ !

ତୂଣୀରୁ ବାହାର କରି

ତୀକ୍ଷ୍ନ ତୀରମାଳା

ଦେଇଥିବ ଖଞ୍ଜି ତାର–

ତୂଣୀର ଭିତରେ

ମନେ ରଖ ମନେ ରଖ

କହିଥିବ ପୁଣି,

ଆମ ବାପ ଗୋସେଁ ବାପା

ଥିଲେ ଯେହୁ ଏଘରର

ମୁରବି ପ୍ରଧାନ

କେତେ ଯୁଦ୍ଧେ ଯୁଦ୍ଧ କରି

ଆସିଛନ୍ତି ଉଡ଼ାଇଣ

ଗୌରବ ପତାକା

ଖୋରଧାର ଦୁର୍ଗଦ୍ୱାରୁ

ପାଇଛନ୍ତି

ଶାଢ଼ୀ ଓ ଶିରୂପା

ସେ ଜାତିର ସେ ବଂଶର

ନିର୍ଭୀକ ସନ୍ତାନ ତୁହି

କ୍ଷୁଦ୍ର ଏହି ଜୀବନରେ

ନ ରଖି ମମତା

ରଖିବୁ ମମତା ମାୟା

ବିଶାଳ ଏ ଦେଶ ପରେ ତୋର !

ଦେଶ ଯଦି ବଞ୍ଚି ପାରେ

ତୋହରି ମରଣେ

ଦେଶ ଯଦି ତୋଳିପାରେ

ବିଜୟ କେତନ

ତୋ ଶୋଣିତ ପ୍ରତିବିନ୍ଦୁ ଦାନେ ।

ଦେଶ ଯଦି ସ୍ୱାଧୀନ ସମ୍ପଦେ ନାଚି

ବାଇପାରେ ସ୍ୱାଧୀନତା ଭେରୀ

ବେଶ ଯଦି ବିଶ୍ୱ ଦରବାରେ କହିପାରେ କଥା

ସ୍ୱାଧୀନ ରସନା ଚାଳି,–

ଦେଶର ଏ ବିଶାଳ ଗୌରବ

ତୋ’ ଶୋଣିତପ୍ରତିବିନ୍ଦୁ ନେଇ

ଦିଶୁଥିବନି କି ଅଭିନବ ?

ଦେଶର ଏ ପୂଣ୍ୟପୂତ ଧୂଳି ମାଟି ସହ

ଜନ୍ମ ଜନ୍ମାନ୍ତର ଧରି

ବଞ୍ଚିଥିବୁ ତୁହି ଅହରହ ।

 

–୨–

 

ତରୁଣୀ କିଶୋରୀ ବଧୂ

ତରୁଣ ପ୍ରିୟରେ ଚାହିଁ

କହିଥିବ–‘ପ୍ରିୟତମ ମୋର !

ସଂଗ୍ରାମେ ଢ଼ାଳି ଏ ତନୁ

ଆପଣାକୁ କର ତୁମେ ଗଉରବମୟ !

ଦେଶ ଲାଗି ଜନ୍ମ ତବ

ଜନ୍ମ ନୁହେଁ

ମୋର ଏଇ ଯୌବନର

କ୍ଷଣିକ ମାଧୁରୀ ଖାଲି

ଉପଭୋଗ ଲାଗି,

ଚାହେ ମୁହିଁ ବୀର ସ୍ୱାମୀ

ସମରପ୍ରାଙ୍ଗଣେଯେହୁ

ନାଚି ନାଚି ହସି ହସି କରିବ ସଂଗ୍ରାମ

ଦେଶର ସମ୍ମାନ ଆଉ ଦେଶର କଲ୍ୟଣ

ଅକ୍ଷୁଣ୍ଣ ଓ ଅନାହତ–

ରଖି ପାରେ ଯେ ବୀର ତରୁଣ

ଶୋଣିତରେ ପ୍ରତିବିନ୍ଦୁ ଦେଇ

ସେଇ ମୋର ପ୍ରିୟତମ,ନମସ୍ୟ ବି ସେଇ;

ସେଇ ମୋର ଅନ୍ତରର ଉପାସ୍ୟ ଦେବତା,

ଯା ଅନ୍ତର ଅସୀମ ବିକ୍ରମ,

ଯା ଅନ୍ତର ଉଚ୍ଛ୍ୱାସ ପରମ,

ଜାତିର ମଙ୍ଗଳ ଲାଗି

ସମର ପ୍ରାଙ୍ଗଣେ, କହିପାରେ କଥା !

ଯାଅ ମୋର ପ୍ରିୟତମ !

ଯାଅ ଆଜି ସମର ପ୍ରାଙ୍ଗଣେ

ନିଅ ଏ ଶାଣିତ ବର୍ଚ୍ଛ।

ପିନ୍ଧ ଏ ସମର ସାଜ

କଷ ହେ କମର କଷ

ମରଣ ଭିତରେ ଦେଖ ଜୀବନର ମଧୁର ସପନ !!

ହସି ହସି ଦେଉଛି ମୁଁ ସମରେ ମେଲାଣି,

ହସି ହସି ଦେବି ମୁହିଁ

ସୁଧା ଆଲିଙ୍ଗନ

ଯେ’ ଦିନ ଦେଖିବି ମୁହିଁ

ନିର୍ଭୀକ ସଇନି ପରି

ଯୁଝି ଯୁଝି

ଫେରିଅଛ ମୋର ପ୍ରିୟତମ ।’’

 

–୩–

 

ଏକଇ ସନ୍ତାନ କିଏ

ତା’ ଦରିଦ୍ର ଜନ୍ମନୀର

ଆସିଥିବ ଏଥି ଯୁଦ୍ଧ କରି

ଜନନୀ ନିବସି ତା’ର

ଦରିଦ୍ର କୁଟୀରେ

ଭାଲୁଥିବ ନିକି ମନେ ମନେ

ବୟସରେ ସାନ ପୁଣି

ଜାଣିନାଇଁ

ଯୁଝର କୌଶଳ

କେମନ୍ତେ କରିବ ଯୁଦ୍ଧ ?

ବିପକ୍ଷ ଦଳର ଯେବେ

ଘନ ଘନ ଗୁଳିଗୋଳା

ଆସୁଥିବ

କରି ମେଘ ଗରଜନ

ଧନ ମୋର ଜୀବନ ବିକଳେ

ପଛଘୁଞ୍ଚା ଦେଇ ଯେବେ

ଆସିବ କୁଟୀରେ ଫେରି

କେମନ୍ତେ କହିବି-

ସେହୁ ପୁଅ ମୋର, ପ୍ରାଣ ମୋର

ମୋହରି ସ୍ତନ୍ୟରେ ଗଢ଼ା

ତାର ପ୍ରତି ରକ୍ତ ମାଂସ ?

ମୋ ବଂଶର ସକଳ ଗରିମା

ରକତେରକତେ ତା’ର

ରହିଅଛି ବୋଲି ।

 

–୪–

 

ହେ ମୋର ଖୋର୍ଦ୍ଧାର ପ୍ରିୟ

ଖଣ୍ତାୟତ ବୀର ।

ନିଜ ପାଇଁ ଆସି ନାହିଁ

ମରଣ ବରଣ କରି

ଆସିଛ ଏ ଜାତି ପାଇଁ

ବୁକୁ କାଟି ରକ୍ତ ଦେବ

ଦେବ ମାଂସ ହାଡ଼

ଦେଖିବ ଏ ବରୁଣେଇ ଶ୍ୟାମଳ ଶିଖରୀ

ଦେଖିବ ଏ ଆକାଶର–

ଗ୍ରହ, ଚନ୍ଦ୍ର, ତାରା

ଦେଖିବ ଏ ବିଲବନ ଶ୍ୟାମଳ ପ୍ରାନ୍ତର

ଦେଖିବ ଦେଖିବ କେହ୍ନେ ଖୋର୍ଦ୍ଧାର ପାଇକ

ସମସ୍ତ ଜୀବନ ତା’ର

ଏଇ ଶେଷ ରଣ ଯଜ୍ଞେ

ବଳି ଦେଇ ଅକୁଣ୍ଠିତେ,

ଜାତିର ସମ୍ମାନ ଟେକ

ରଖିଚି ଗରବେ !

ହଟିପାର ଏ ସଂଗ୍ରାମେ ତମେ

କଟିପାର ବଇରୀର ଗୁଳି ଗୋଳାଘାତେ

ବିଦେଶୀ ବଇରୀ ହାତେ

ରହିପାରେ ଏ ଦେଶର ଭାଗ୍ୟଡ଼ୋରି ଦିନେ

କିନ୍ତୁ ମୋର ରାଜଭକ୍ତ, ଦେଶଭକ୍ତ

ଖୋରଧାର ଖଣ୍ତାୟତ ବୀର।

ତୁମର ଅକ୍ଷୟ କୀର୍ତ୍ତ

ଅନନ୍ତ ସମୟ ଧରି

ରହିଥିବ ଏ ମାଟିର–

ପ୍ରତିଧୂଳି କଣିକାରେ ମିଶି,

ଭାଳିନିଅ ଥରେ ମୋର ପ୍ରିୟତମ ପାଇକ ସର୍ଦ୍ଦାର !

ବିଶାଳ ଏ ଉତ୍କଳର କୀର୍ତ୍ତକଳା

ଧନ ଜନ ସ୍ୱାଧୀନତା ସମ୍ମାନ ଗୌରବ

ବର୍ଷ ବର୍ଷ ଧରି ତମେ ରଖିଚ ବଞ୍ଚାଇ !

ରଣୋନ୍ମତ୍ତ ଜାତି ମୋର !

ଖୋରଧାର ଶତ ଶତ ପାଇକ ସର୍ଦ୍ଦାର !

ତୁମରି ମୋହନମନ୍ତ୍ରେ

କଥା କହେ ପ୍ରାଣହୀନ

ଯେ ଆଜି ମୁର୍ଦ୍ଦାର।

ବୁକୁରେ ବିପୁଳ ବହ୍ନି

ଜଳଇ ତୁମରି

ହୁତୁ ହୁତୁସ୍ୱର୍ଣ୍ଣଶିଖା ମେଲି

ଓଠରେ ବଜ୍ରର ବାଣୀ

ମୋହନ ଗୌରବେ

ପ୍ରତି ନିତି ଯାଏ ଖେଳି ଖେଳି,

ଶିରାରେ ଶିରାରେ ତବ

ଶୋଣିତ ପ୍ରବାହ

ଆଜନମୁ

କହେ ଯେହ୍ନେ କଥା

ଦେଶ ଜନନୀର ମୁହିଁ

ପ୍ରବୀର ସନ୍ତାନ

ଦେଶ ପାଇଁ

ଲୋଡ଼ା ହେଲେ

ଦେବି ମୋର କଥା

ଦେବି ମଙ୍ଗଳେ ମୋର ମଙ୍ଗଳର ବୀଣା

ବାଜି ଉଠେ ମୃଦୁ ମନ୍ଦ୍ର ତାନେ,

ଦେଶ ପାଇଁ ବାପ ମା

ଭଗିନୀର ମାୟ,

ଏ ଧରଣୀ ପରେ ନାହିଁ ଜାଣେ ।

ଉପରେ ଆକାଶ

ତଳେ ମୋର ପୁଣ୍ୟ ଦେଶ

ବିଲ ବଣ ପରବତ ଘେରା

ସ୍ୱାଧୀନ କେତନ ମୁହିଁ ଉଡ଼ାଇ ଉଡ଼ାଇ

କରୁଥିବି ଚିରନ୍ତନ ଖେଳା;

ତୁମରି ଦେଶର ଆଜି ତୁମରି ଜାତିର

ଆସିଅଛି ଭୀଷଣ ସଙ୍କଟ

ପ୍ରଳୟ ତାଣ୍ତବ ଲିଳା

ସରଜି ତହିଁରେ

ଆପଣାକୁ ଆପେ ହେ ପ୍ରକଟ !

ଦେଖାଅ ଦେଖାଅ ତୁମେ

ହୃତ୍‌ପିଣ୍ତ ଏ ବିଶାଳ ଜାତିର

ଏଇ ଖଣ୍ତା ଏଇ ତଲୁଆରେ

ଚାଲ କାଟି ଶତ ବୈରୀଶିର,

ଏ ଖୋରଧା ଜନନୀର

ନେତ୍ର ନୀର ଧାରା

ପୋଛିଦିଅ ପୋଛିଦିଅ ତମେ

ଦେଶର କ୍ରନ୍ଦନବାଣୀ

ପାରିବ କି ସହ ?

ଦେଶର ଶୋଣିତ ବହି

ତୁମ ବୁକୁ ତଳେ !

•••

 

ପୁରସ୍କାର

 

ସେନାପତି ! ତୁମେ ଦୁର୍ଗ ଜିଣିଚ ଅଗ୍ନି ଭିତରେ ପଶିଛ ଦମ୍ଭ ଧରି

ଜାତି ସମ୍ମାନ ବଢ଼ାଇଚ ତମେ ନିଜ ଜୀବନରେ ମମତା ନ ରଖି କରି ।

ବକ୍ଷ ତମର ଅଚଳ ଅଟଳ ଜୀବନର ପଣ ଭୀଷଣୁ ଭୀଷଣତର

ଦେଶର ଗର୍ବ ଗର୍ବ ତୁମର ଦେଶହିଁ ତମର ଜୀବନର ପ୍ରିୟ ଘର ।

ପରାଜୟେ ତୁମେ ଥରି ଯାଇ ନାହିଁ, ବିପଦ ଭିତରେ ନିଜକୁ ଫୁଟାଅ ତମେ

ନିଅ ଏ ଗାଆଁଟି ନିଅ ସେନାପତି ! ଭୋଗୁଥିବ ଯାହା ବଂଶର ଅନୁକ୍ରମେ ।

‘ନାହିଁ ହେ ମଣିମା ! ଥାଉ,

ଜାତିର ସେବା ମୁଁ କରି ମୋ କ୍ଷୁଦ୍ର ଜୀବନଟି ବିତିଯାଉ ।’’

ସେନାପତି, ମୋର ପ୍ରିୟ ସେନାପତି, ଜିଣିଚ ଦୁର୍ଗ ବାହୁବିକ୍ରମେ ଏକା,

ତୁମ ଭଳି ଜଣେ ବଳୀୟାର ଯୁବା ହୋଇ ନାହିଁ ମୋର ଏ ସାରା ଜୀବନେ ଦେଖା !

ବରଷ ବରଷ ଧରି ଯେ ଦୁର୍ଗେ ଚାଲିଅଛି ଖାଲି ଅଭିଯାନ ଅଭିଯାନ,

ବ୍ୟର୍ଥ ହୋଇଚି ସକଳ ସାଧନା, ସାର୍ଥ ହୋଇଛି ପାଇବାର ଅପମାନ !

ଅଜେୟ ଦୁର୍ଗେ ବିଜୟ କେତନ ଉଡ଼ାଇ ଆସିଚ ବାହୁବିକ୍ରମେ ତମେ

ନିଅ ଏ ଗାଆଁଟି ନିଅ ସେନାପତି, ଭୋଗୁଥିବ ଯାହା ବଂଶର ଅନୁକ୍ରମେ ।

‘ନାହିଁ ହେ ମଣିମା ! ଥାଉ,

ଜାତିର ସେବା ମୁଁ କରି ମୋ କ୍ଷୁଦ୍ର ଜୀବନଟି ବିତିଯାଉ ।’

ସେନାପତି, ମୋର ପ୍ରିୟ ସେନାପତି, !

ଜିଣିଚ ଦୁର୍ଗ ବାହୁବିକ୍ରମେ ଏକା,

ତୁମ ଭଳି ଜଣେ ବଳୀୟାର ଯୁବା

ହୋଇ ନାହିଁ ମୋର ଏ ସାରା ଜୀବନେ ଦେଖା

ବରଷ ବରଷ ଧରି ଯେ ଦୁର୍ଗେ

ଚାଲିଅଛି ଖାଲି ଅଭିଯାନ ଅଭିଯାନ,

ବ୍ୟର୍ଥ ହୋଇଚି ସକଳ ସାଧନା,

ସାର୍ଥ ହୋଇଛି ପାଇବାର ଅପମାନ !

ଅଜେୟ ଦୁର୍ଗେ ବିଜୟ କେତନ

ଉଡ଼ାଇ ଆସିଚ ବାହୁବିକ୍ରମେ ତମେ

ନିଅଁ ଏ ଗାଆଁଟି ନିଅ ସେନାପତି,

ଭୋଗୁଥିବ ଯାହା ବଂଶର ଅନୁକ୍ରମେ ।

ଦେଶ ସେନାପତି ଦେଶର ପତାକା ଉଡ଼ାଇ ମୋ ଦିନ ଯାଉ ।’

ନିଖିଳ ଏ ଦେଶ ତୁମ ତଳୁଆରେ

ଗଉରବ ଦିଏ, ନତଜ ନୁ ହୋଇ ନମେ ।

ଫେରି ଆସିଅଛି ସକଳ ସାଧନା ଏ ଜାତି ମୁକୁଟ ନଇଁଚି ଯା’ ପାଦତଳେ,

ସେଇ ଦୁର୍ଗର ଗର୍ବ ଭାଜିଛି–ତୁମ ତଲୁଆର ପୂଜ୍ୟ ଧରଣୀ ପରେ !

କି ଅବା ବିଭବ ପାରିବି ମୁଁ ଦେଇ ?

ତୁମରି ଚାଳକ ପାଳକ ରାଜା ମୁଁ ଜଣେ,

ନିଅ ଏ ଗାଆଁଟି ନିଅ ସେନାପତି,

ଭୋଗୁଥିବ ଯାହା ବଂଶର ଅନୁକ୍ରମେ !

‘ନାହିଁ ହେ ମଣିମା ! ଥାଉ,

ଦେଶ ସେନାପତି ଦେଶର ହୁକୁମ ପାଳି ମୋ ଜୀବନ ଯାଉ ।’

ସେନାପତି, ମୋର ପ୍ରିୟ ସେନାପତି !

ଏ ସାରା ଦେଶର ଏକଇ ବର୍ମ ତମେ,

ନିଜ ଜୀବନର ଛାଇ ଦେଖ ପରା

ଦେଶ ଓ ଜାତିର ସୁବିପୁଳ ଦରପଣେ।

ଏ ମାଟିର ପ୍ରତି ଅଣୁ ପରମାଣେ

ସତ୍ତା ହରାଇ ନିଜରେ ଭୁଲିଚ ବୀର,

ଏ ମାଟି ହସିଲେ ତୁମେ ହସ ବୀର,

ଏ ମାଟି ଦୁଃଖେ ଝରାଅ ଅଶ୍ରୁ ନୀର !

କିବା ସମ୍ପଦ ଅରପିବି କରେ ?

ତୁମରି ସମାନ କିଛି ନାଇଁ ଏ ଭୁବନେ

ନିଅ ଏ ଶିରୁପା ନିଅ ସେନାପତି, ପିନ୍ଧିବ ଯାହା ବଂଶର ଅନୁକ୍ରମେ ।

‘ଦିଅ ହେ ମଣିମା ! ଦିଅ,

ଜାତିର ସେବା ମୁଁ କରି କରି ହୁଏ, ମୋ ଜାତିର ଚିର ପ୍ରିୟ ।’’

•••

 

କଜଳାଗଣ୍ତ

–୧–

କଜଳାଗଣ୍ତ ! କଜଳାଗଣ୍ତ ! ସେଇଦିନୁ ତମେ ରହିଚ ପରା

ବଣ ବୁଦାଲଟାପାହାଡ଼ କାନେ କି କଥା କହୁଚଜୀବନସାରା

ଦୁର୍ଗ ତୁମରି ପଡ଼ିଚି ଟଳି ଗର୍ବ ତୁମର ଯାଇଚି ଜଳି,

ରଣସଙ୍ଗୀତ ପାହାଡ଼ ତଳୁ ସାନ୍ଧ୍ୟ ସମୀରେ ନ ଉଠେ ଭରି,

ଝମ୍‌ ଝମ୍‌ ଝମ୍‌ ହଲାଇ ବାହା ପଟା ଆଖଡ଼ାର ପାଇକ ଦଳ,

ଏକ ଆନେ ଖେଳି ଦର୍ପଭରେ କଷାକଷି ନାହିଁ ହୁଅନ୍ତି ବଳ ।

ପାଇକବାଳାର ପ୍ରବାଳ ଓଠ ଯୁଦ୍ଧ ଫେରନ୍ତା ସ୍ୱାମୀରେ ତାର,

ଜଣାଏ ନାହିଁ ତା’ ସ୍ୱାଗତବାଣୀ କିଭଳି ଜଗିଲା ଦୁର୍ଗଦ୍ୱାର ।

ତୁମରି ପାହାଡ଼ଟାଙ୍ଗି ଆଜି ଯୁଦ୍ଧ ବାଇଦ ଶୁଣେନା କାନେ

ତୁମରି ଗହନ ବିପିନ କୋଳେ ସମର ତୂର୍ଯ୍ୟ ବାଜେ ନା ଟାଣେ ।

ତୁମର ଆକାଶ, ଚନ୍ଦ୍ର, ତାରା ଉଲ୍ଲସି ନାହି ଉଠଇ ପରା

ପାଇକ ବଧୂର ଖଣ୍ତାଖେଳ ନୟନେ ନିରେଖି ଦର୍ପଭରା ।

ଟପ୍‌ ଟପ୍‌ ଟପ୍‌ ଘୋଡ଼ାର ଟାପୁ ଟମ୍‌ ଟମ୍‌ ଟମ୍‌ ଟମକ ବଜା

ସକଳ ସ୍ୱପ୍ନ ତୁମରି ଦେଶେ ନାହିଁ ସେ ରାଜ୍ୟ ନାହିଁ ସେ ରଜା ।

କଜଳାଗଣ୍ତ ! କଜଳାଗଣ୍ତ ! ସେହିଦିନୁ ତୁମେ ରହିଚ ପରା

ବଣ ବୁଦାଲଟାପାହାଡ଼ କାନେ କି କଥା କହୁଚ ଜୀବନ ସାରା ?

 

–୨–

କଜଳାଗଣ୍ତ ! କଜଳାଗଣ୍ତ ! ତୁମରି ଗଭୀର କଜଳ ଜଳେ

ଖପ୍‌କିନି କିଏ ପଡ଼ିଲା ଡେଇଁ ବୀର ସଙ୍ଗୀତ ବକ୍ଷତଳେ !

କାହାର କଣ୍ଠ ବକୁଳମାଳା ଭାସିଲା ତୁମରି କଜଳ ବୁକେ ?

କାହାର ଚରଣ ଲାକ୍ଷାରାଗ ବୁଲିଲା ତୁମରି ଲହରୀ ମୁଖେ ?

କାହାର ହାତର ସ୍ୱର୍ଣ୍ଣକାଚ, ପଦମଞ୍ଜିର ବାଜିଲା ଟାଣେ

ଲୁଚିଗଲା କେଉଁ ଅତଳ ତଳେ ଶୁଣିଥିବ ତୁମେ ନୀରବ ଧ୍ୟାନେ ।

କାହାର ସ୍ୱର୍ଣ୍ଣ ଅଙ୍ଗରେଖା ନ ଦିଶିଲା ଆଉ କାଳ କାଳ ହେ

ତୁମରି ଗରଭେ ଲୁଚିଲା କାର କାନ୍ତ କରର କରବାଳ ହେ ?

କାହାର ଦୁଇଟି ଅଗ୍ନି ଆଖି ଦେଶର ଜାତିର ଗଉରବ ହେ

ନିଭିଲା ତୁମରିୁ କଜଳ ବୁକେ, ତୁଟିଲା ସକଳ ସଉରଭ ହେ !

କାହାର ଅଟଳ ବକ୍ଷଟିଏ ସମାଧି ଭଜିଲା ତୁମରି ପ୍ରାଣେ,

ଯୁଝୁଥିଲା ଯିଏ କମାଣ ଆଗେ, ଜାତି ପାଇଁ ଶତ ସିଂହ ଟାଣେ ।

କାହାର ସାଧନା ସଲିଳେ ତବ ବୁଡ଼ିଲା ତୃପ୍ତି ନ ପାଇ ଲବେ ?

କହିକି ପାରିବ କିଭଳି ପ୍ରାଣ ଥିଲା ସେ ବାଳା ଏ ନିଖିଳ ଭବେ ?

କଜଳାଗଣ୍ତ ! କଜଳାଗଣ୍ତ ! ତୁମରି ଗଭୀର କଜଳ ଜଳେ

ଖପ୍‌କିନି କିଏ ପଡ଼ିଲା ଡେଇଁ ବୀରସଙ୍ଗୀତ ବକ୍ଷତଳେ !

 

–୩–

କଜଳାଗଣ୍ତ ! କଜଳାଗଣ୍ତ ! ଦୁରୁଦୁରୁଦୁରୁ ଜଳିଲା ନିଆଁ

ଦୁର୍ଗ ପାଚିରୀ ଫାଟିଲା ପରା ପାଇକ ବଧୂର ନ ସହେ ହିଆ ।

ଶିରାରେ ଶିରାରେ ଶୋଣିତ ତାର ଟକ୍‌ମକ୍‌ ହୋଇ ଫୁଟିଲା ପରା

କଳାବତୀ କଳା ନୟନ ତଳୁ ଫୁଟିଲା ଦୁଇଟି ଅଗ୍ନି ତରା ।

କଳାବତୀ କଳା ଅଶ୍ୱ ଚଢ଼ିଟପ୍‌ ଟପ୍‌ ଟପ୍‌ ଚାଲିଲା ଆଗେ

ଜନ୍ମଭୁମିର କୀର୍ତ୍ତିଗାଥା ବୁକୁତଳେ ତା’ର ଗଭୀରେ ଜାଗେ ।

ପିଁ ପିଁ ପିଁ ମାଇଲା ଶର, ଟପ୍‌ ଟପ୍‌ ଟପ୍‌ ଚାଲିଲା ଘୋଡ଼ା

ଦୁର୍ଗ ପଥର କବାଟେ ବାଜେ ଦୁମ୍‌ ଦୁମ୍‌ ଦୁମ୍‌ ଶତ୍ରୁଗୋଳା ।

ଦୁର୍ଗ କବାଟ ପଡ଼ିଲା ଟଳିଳ ଶତ୍ରୁ ଚାଲିଲା ଦୁର୍ଗ ଭେଦି ।

କଳାବତୀ କଳା ଅଶ୍ୱଚଢ଼ି ଶତ୍ରୁ ସଇନି ପକାଏ ଛେଦି ।

ବିଶାଳ ଦୁର୍ଗ ପାଉଁଶ ହେଲା ରକ୍ତଲହରୀ ଖେଲିଲା ଭୁଇଁ

କଳାବତୀ ଚାହିଁ ପାରିଲା ନାହିଁ ଟେକି ତାର କଳା ନୟନ ଦୁଇ ।

କଳାବତୀ ଚାଲେ ଅଶ୍ୱପିଟି ଶତ୍ରୁ ସଇନି ଚାଲିଚି ପଛେ

ବିଶ୍ୱାଳ ଦୁର୍ଗ ପାଉଁଶ ହେଲା କଳାବତୀ ସହି ପାରେନା ମଞ୍ଚେ ।

କଜଳାଗଣ୍ତ ! କଜଳାଗଣ୍ତ ! ଦୁରୁ ଦୁରୁ ଦୁରୁ ଜଳିଲା ନିଆଁ

ବିଶାଳ ଦୁର୍ଗ ପାଉଁଶ ହେଲା ପାଇକ-ବଧୂର ନ ସହେ ହିଆ ।

 

–୪–

କଜଳାଗଣ୍ତ ! କଜଳାଗଣ୍ତ ! କଳାବତୀ ଗୀତ ଗାଇଲାପରା

ଶତ୍ରୁ ଆସଇ ବିଜୁଳି ପରି ଶତ୍ରୁ ହାତେ ମୁଁ ଦେବି କି ଧରା ?

ପାଇକଝିଅ ମୁଁ ପାଇକ ବୋହୂ, ପାଇକ ରକ୍ତ ଛାତିରେ ବହେ

ପାଇକ ଆଖିର ବହ୍ନି ମୋର ନୟନେ ନୟନେ କଥା ଯେ କହେ ।

ପାଇକ ଓଠର ମୁତ୍ୟୁ ଜିଣା ସ୍ୱର୍ଣ୍ଣହାସମୋ ଅଧରେ ଫୁଟେ

ବୁକୁତଳେ ମୋର ପାଇକ ଗାଥା ସ୍ପନ୍ଦନ ତୋଳି ଗଭୀରେ ଉଠେ ।

ଜନ୍ମଭୂମିର ଜୀଅନ୍ତା ପ୍ରାଣ ପାଇକ ବୋହୂ ମୁଁ ନାହିଁରେ ଭୟ

ପାଇକବାଳା କେ ଅଛ ଲୋ ଆସ ଶତ୍ରୁର ହାତେ ନ ଭଜି ଲୟ ।

ପାଇକ ରକ୍ତ ଶିଥିଳ ନୁହେ, ଗାଆଲୋ ଗାଆଲୋ ପାଇକବାଳା

ହାତରେ ଧର ଲୋ ମୁକ୍ତ ଅସି, ବକ୍ଷେ ଶୋହୁ ଲୋ ବକୁଳମାଳା।

ବାଦକ ଗଭୀରେ ବାଦ୍ୟବଜା, ଦୁମୁ ଦୁମୁ ଦୁମୁ ବଜାରେ ବାଜା

ପାହାଡ଼ ଟାଙ୍ଗୀ ପରାଣ ତଳ ଗୁରୁଗଉରବେ ତେଜାରେ ତେଜା ।

କଜଳାଗଣ୍ତ ! କଜଳାଗଣ୍ତ ! ତୁମରି ବକ୍ଷେ ଦିଅହେ ସ୍ଥାନ

କହିବ ମୋ ଭାଇ ଭଉଣୀ କାନେ, କଳାବତୀ କେବେ ହାରିନି ମାନ ।

କଜଳାଗଣ୍ତ ! କଜଳାଗଣ୍ତ ! କଳାବତୀ ଗୀତ ଗାଇଲା ପରା

ପାଇକଝିଅ ମୁଁ ପାଇକ ବୋହୂ, ଶତ୍ରୁ ହାତେ ମୁଁ ଦେବିକି ଧରା ?

 

–୫–

କଜଳାଗଣ୍ତ ! କଜଳାଗଣ୍ତ ! ଦୁର୍ଗ ତୁମରି ପାଉଁଶ ହେଲା

କଳାବତୀର ଯେ କୀର୍ତ୍ତି-କଳା ଘୋଷେ ଆଜି ତୁମ ବିଜନ-ବେଳା ।

କଳାବତୀ ଆଜି ନାହିଁରେ ନାହିଁ ବଣ ପରବତପାହାଡ଼ ଚୂଳେ

କଳାବତୀ କଳା ଅଶ୍ୱଚଢ଼ି, ଯୁଦ୍ଧ କରୁନି ଶତ୍ରୁ ତୁଲେ ।

କଳାବତୀ ବୁକୁ ଶୋଣିତ ଧାରା ଦେଶପାଇଁ ଆଉ ଉଠୁନି ତାତି

କଳାବତୀ ଆଉ ଖୋଜିନି ତାର ପାଇକ-ଭଉଣୀ ସମର ସାଥି ।

କଳାବତୀ ଆଉ କଜଳାଗଣ୍ତେ ସଙ୍ଗିନୀ ତୁଳେ ଦେଉନି ଝାସ

କଳାବତୀ ଆଉ ସମର ଗୀତି ଗାଉନି ପିନ୍ଧି ବୀରର ବେଶ ।

କଳାବତୀ ଛାତି ପାଉଁଶ-ଦୁର୍ଗ ଦେଖି ଦେଖି ନାଇଁ ବିଦାରି ହୁଏ

କଳାବତୀ ଆଜି ନାଇଁରେ ନାଇଁ କଜଳାଗଣ୍ତ ନୀରବେ ବହେ ।

କଜଳାଗଣ୍ତ ! କଜଳାଗଣ୍ତ ! କଳାବତୀ ଆଜି ନାଇଁରେ ନାଇଁ

ଏଇ କଥା ବକ୍ଷେ ଜାଗେ ତୁମ ତୀରେ କେବେ ବୁଲିଲେ ଯାଇ ।

କଜଳାଗଣ୍ତ ! କଜଳାଗଣ୍ତ ! ତୁମରି ଗଭୀର କଜଳ ଜଳେ

ଖପ୍‌କିନି କିଏ ପଡ଼ିଲା ଡ଼େଇଁ ବୀରସଙ୍ଗୀତ ବକ୍ଷତଳେ।

କଜଳାଗଣ୍ତ ! ସତେ ହେ ସତେ ଦୁର୍ଗ ତୁମରି ପାଉଁଶ ହେଲା ।

କଳାବତୀର ଯେ କୀର୍ତ୍ତିକଳା ଘୋଷେ ଆଜି ତୁମ ବିଜନ ବେଳା ।

•••

 

ସୈନିକ ସମାଧି

 

–୧–

 

ଏଇଠି ତାହାର ସମାଧି ହେଲା !

ଏଇଠି ଏଇଠି ଦେଶ ପାଇଁ ତା’ର ଜୀବନ ଦେଲା !

ବୀର ବେଶେ ସେ ଯେ ଏଇଠି ଏଇଠି ଯୁଦ୍ଧ କଲା,

ବୀର ଗଉରବେ କମ୍ପିତ କରି ଆକାଶ ପବନ ନିଖିଳ ଧରା,

ଖଣ୍ତା ଗୋଟିଏ ହାତରେ ଧରିଚି ପଡ଼ିଲା ଶୋଇ

କୋଟିଏ ଶତ୍ରୁ ସଇନି ମାରିଚି ଆଗୁଆ ହୋଇ।

ଝର ଝର ଝର ରକ୍ତ ବୋହିଚି ବୁକୁରୁ ତା’ର,

କପାଳେ ଜଳୁଚି ଦାଉ ଦାଉ ଦାଉ ସିନ୍ଦୂର ଗାର ।

ଦମ୍‌ ଦମ୍‌ ଦମ୍‌ ସମ୍ମୁଖୁ ଆସେ ଶତ୍ରୁ ଗୋଳା–

ଏ ବୀର ମାଟିର ବୀର ସନ୍ତାନ

ବୀର ଗଉରବେ ବୁଜିଚି ଡ଼ୋଳା ।

ଦେଖିଚି ପାହାଡ଼, ଦେଖିଚ ନଈ

ଦେଖିଚି ଆକାଶ ଉର୍ଦ୍ଧ୍ୱେ ରହି

ଖଣ୍ତା ଗୋଟିଏ ହାତରେ ଧରିଚି ପଡ଼ିଲା ଶୋଇ

ସୁମରି ମାଆ ଜନମ ଭୁଇଁ ।

ସେତିକି ସେତିକି କହଚି

ଆଉ କହଚି କଥା,

ମାଆ ପାଇଁ ତାର ଦେଇଚି ମଥା ।

ଓଠରେ ଫୁଟାଇ ସ୍ୱର୍ଣ୍ଣହାସ,

ଅଙ୍ଗେ ନିଭାଇ ସକଳ ବେଦନା ଗଭୀର ପ୍ରାସ ।

ପାଇକ ଘରର ଯୁବା ବଇସିଆ ଗୋଟିଏ ପିଲା

ବଜ୍ରପରି ତା’ ଜୀବନ ଥିଲା ।

ମଣିଷ ପାଇଁକି ମରିବା ପାଇଁ

ଆସିଥିଲା ସେ ଏତେ ଦୂରରେ,

ଢାଲ ଓ ଖଣ୍ତା ହାତରେ ଧରି

ଜାଳି ବୁକୁ ତଳେ ନିଆଁ ଝଲରେ ।

ଜାଣି ନାଇଁ ସେ ଜାଣି ନାଇଁରେ

ପରକି ଆପଣା ବଡ଼ ସାନରେ,

ଜନମ ଭୁଇଁର ସ୍ୱାର୍ଥ ଲାଗି

ଜୀବନଟି ତାର କଲା ଦାନରେ ।

ବୁକୁ ଚିରି ତା’ର ଜୀବନ ଦେଲା ଜୀବନ ଦେଲା

ଏଇଠି ତାହାର ସମାଧି ହେଲା ! ସମାଧି ହେଲା !

 

–୨–

 

ଏକୋଇର ବଳା ବିଶିକୋନ

ବଢ଼ିଥିଲା ବଡ଼ ଅଲିଅଳରେ

ଗୋଟିଏ ବୋଲି ସେ ସଙ୍ଖାଳି ସେ

ସବୁରି ସେ ଆଖି ସାରା ଘରରେ ।

ବାନ୍ଧିଲା ଯେବେ କଟିରେ ଫରି

ସମର ଭୁଇଁରେ ଆସିବ ଚଳି,

ହାତରେ ଧଇଲା ଖଣ୍ତା ଢାଲ

କଟିରେ ଭିଡ଼ିଲା ଘାଘୁଡ଼ି ମାଳ,

ବନ୍ଦି ଜନନୀ ଚରଣପଦ୍ମ କହିଲା ପରା–

ଯାଉଳି ଯାଉଚି ଯୁଦ୍ଧ କରି

ନୟନେ ଫୁଟିଲା ଅଗ୍ନି-ତରା !!

ଜନନୀ କହିଲା ଆବେଗ ଭରେ

ଧନମାଳୀରେ !

ଅନ୍ଧୁଣୀ ହୋଇ ରହିଲି ତୋତେ

ଭାଳି ଭାଳିରେ !

ଏଇ ତାଲ ଏଇ ଖଣ୍ତା ଧରି

ଫେରିବୁ ସତେରେ ଫେରିବୁ ସତେ,

ଦେଖିବି ଏ ଦୁଇ ନୟନ ଭରି ?

କେତେ ଦୂରେ କେଉଁ ରାଇଜେ କାହିଁ

ଯୁଝିବୁ ଯାଇ–

ସେ କେଉଁ କଟକ ଖୁରୁଧା ପୁରୀ

ଘରେ ବସି ହେଉଥିବି ମୁଁ ଝରି ।

ଆଗକୁ ନାଇଁକି ପଛକୁ ନାଇଁ

କେହି ତ କାହିଁ,

ରହିଲି ରହିଲି ରହିଲି ସିନା

ତୋ ବାଟ ଚାହିଁ !

ଜନନୀରେ ଚାହିଁ କହିଲା ସିଏ ପକାଇ ରାଣ

ବିକଳ ଅଥୟ ହୁଅନା ବୋଉ,

ମୁଁ ନୁହଇ ଖାଲି ତୋହରି ଧନ–

ଦେଶର ପ୍ରାଣ ମୁଁ ଜାତିର ଟାଣ ।

ଜନମ ଦେଇଚୁ କରିବାକୁ ଖାଲି ଦେଶର କାମ

ବାଜୁଥିବ ଯହିଁ ଯୁଦ୍ଧ ବାଜା

ଫୁଟୁଥିବ ଯହିଁ କମାଣ ତୋପ,

ଲକ୍ଷ ପାଇକ ସୋଦର ସଖା

ଲଢ଼ୁଥିବେ ଯହିଁ ଦେଖାଇ କୋପ।

ତାହାରି ଭିତରେ ଖଣ୍ତା ଧରି

ଶାର୍ଦ୍ଦୁଳ ପରି ଲଢ଼େଇ କରି

ମରିଯାଏ ବୋଉ ମରିଯାଏ ଲୋ !

ରହିବ ମୋହରି ମାଟିର ଟେକି,

ଜନମ ମାଟିର ଜୀବନ ରହୁ

କଟିଯାଉ ପଛେ ମୋହର ବେକ !

ମରିଗଲେ ମୁହିଁ କି ଯାଏ ଆସେ

ମୋ’ ମରଣେ ଯେବେ ଫୁଟିବ ଫୁଲ,

ଗନ୍ଧେ ଉଠିବ ମହକି ଧରା

ସେତକ ତୋହର ଅସଲ ମୁଲ !

ପାଦଧୂଳି ମୋର ମଥାରେ ଦେଏ

ପୁଅ ବୋଲି ଥରେ ଗଭୀର ସେନେହେ

କୋଳକୁ ନେଏ !

ଯୁଦ୍ଧ କରି, ପଡ଼େ ମୁଁ ଢଳି,

ଫେରିଲେ ଭଲ,

ନ ଫେରିଲେ ବୋଉ ! କାନ୍ଦିବୁନି

ଏତିକି ଅନୁରୋଧ ଲୋ ମୋର !

ଏତିକି କହିଚି, କହନି ଆଉ

ଚାଲି ସେ ଗଲା

ଦପ୍‌ ଦପ୍‌ ଦପ୍‌ ଚରଣ ଚାଲି

ସମରେ ପରା !

ଏଇ ଯେ ପଡ଼ିଛି ସମର ଭୂଇଁ

ଏଇଠି ଏଇଠି ଯୁଦ୍ଧ କଲା,

କମ୍ପିତ କରି ଆକାଶ ଭୁବନ ନିଖିଳ ଧରା

ବୁକୁଚିରି ତା’ର ଜୀବନ ଦେଲା ! ଜୀବନ ଦେଲା !

ଏଇଠି ତାହାର ସମାଧି ହେଲା । ସମାଧି ହେଲା !

 

–୩–

 

ଏଭଳି ବିରାଟ ଅଗ୍ନି, ଥାଏ ମଣିଷ ପ୍ରାଣେ

ବଜ୍ର କଟାଇ ପଥର ଫଟାଇ ଜୀବନ ଆଣେ !

ମଣିଷ ସବୁ କଚି ପାରେରେ

କିଏ ସେ କହିବ କି ମହାଶକ୍ତି

ରହିଚି, ମଣିଷ ଲହୁ ଧାରେରେ !

କଣ ନ କଲା ?

ବୟସ ତାହାର ଅଠର କୋଡ଼ିଏ ହୋଇବ ପରା !

ମାଇଲା ଶର, ପିଁ, ପିଁ ପିଁ ଚାଲିଲା ପରା

ଛିଡ଼ିଲା ଶତ ବଇରି ମଡ଼ା

ଦିଗୁଣ ସାହସେ ଖଣ୍ତା ଚାଳି

କେତେଶ ସଇନି ଦେଲା ସେ ଟାଳି ।

ଶତ୍ରୁ ଦଳର ସେନାପତି, ସେନାପତି ସେ କାହିଁ ?

ଏଇ କେତେ ଦୂରେ ପାହାଡ଼ ଠାଇଁ,

ମାଇଲା ଘୋଡ଼ା

ବିଜୁଳିପରି ସେ ଚାଲିଲା ଦଳି

ହଜାର ହଜାର ବଇରୀ ମଡ଼ା !

ସମର ଭୂଇଁରେ ପଡ଼ିଲା ଢାକ

ଚାଲରେ ଚାଲରେ ପାଇକ ପୁଅ–

ବିଜୟୀ ହୁଅରେ ବିଜୟୀ ହୁଅ

ଭୟ ନାଇଁ ଆଉ ଭୟ ନାଇଁରେ

ଶିରେ ତୋ’ ଶିରୂପା-ବନ୍ଧା ହେବ

ନାଆଁ ଥିବ କାଳ କାଳ ପାଇଁରେ !

ଖଣ୍ତାରେ ଯେବେ ସେନାପତି ଶିର

ଦେଇଚି ଛେଇ

ବିଜୟ କେତନ ବୀର ଓଡ଼ିଶାର

ଦେଲେ ଉଡ଼େଇ

ଓଡ଼ିଆ ସଇନ ଓଡ଼ିଆ ବୀର

ଯହିଁ ଶୁଣ ଖାଲି ଜୟ କଲ୍ଲୋଳ

ଦୃପ୍ତଗୀର।

ଧନ୍ୟ ଧନ୍ୟ ପାଇକ-ଯୁବା

ବିଜୟୀ ବେଶେ ଫେରଇରେ

ତୂର୍ଯ୍ୟ ବାଜେ ରଣ ପ୍ରାଙ୍ଗଣେ,

ଓଠେ ତା’ ହାସ ଖେଳାଇରେ

ସାର୍ଥ ଆଜି ଜୀବନ ତା’ର

ସାର୍ଥ ତାର ଯୁଦ୍ଧ

ଜୟ ଉଲ୍ଲାସ ବକ୍ଷ ତାର

ହୋଇ ଉଠେ ଉଦ୍‌ବୁଦ୍ଧ !

ଏତିକିବେଳେ ବଇରି ସଇନ ପାହାଡ଼ ତଳୁ

ଲୁଚି ଲୁଚି ଲୁଚି ମାଇଲା ତଳୁ

ଢଳି ସେ ପଡ଼ିଲା ଧରଣୀ ତଳ

ଉଚ୍ଚାରି ମାଆ ଜନମ ଭୂଇଁ

ହାତରେ ଧରିଚିଖଣ୍ତା ପଟି ପଡ଼ିଲା ଶୋଇ !

ଜୟ ଉଲ୍ଲାସେ ଅଧର ତୀରେ, ସେ ହାସ ଅଛି

ସେଭଳି ରହି,

ବିଜୟୀ ପାଇକ ଏଇଠି ଏଇଠି ଦେଶ ପାଇଁ

ତାର ଜୀବନ ଦେଲା !

ଏଇଠି ତାହାର ସମାଧି ହେଲା ! ସମାଧି ହେଲା !!

 

–୪–

 

କେତେ କାଳ ଏବେ ହେଲାଣି ପରା

ସମାଧି ତାର ହୋଇଚି ଠିଆ

ଏପାଖେ ପାହାଡ଼ ସେ ପାଖେ ନଈ

ଚଉଦିଗେ ଖାଲି ବେତସ-କିଆ ।

ବାଟର ବାଟୋଇ ସେ ପାଖେ ଫେରେ

ଉଦାସ ପରାଣେ ଗୀତଟି ଗାଇ

ଗୋପାଳ ବାଳକ ଚରାଏ ଧେନୁ

ସାନ୍ଧ୍ୟ ସମୀରେ ବଂଇଶୀ ବାଇ ।

ସକାଳ ପରେ ସନ୍ଧ୍ୟା ଆସେ

ସୂର୍ଯ୍ୟ ଆସି ସୂର୍ଯ୍ୟ ଫେରେ

କାଳର କପାଳେ ଘଟଣା ଶତ

ସୁଖ ଓ ଦୁଃଖ ନୀରବେ ଖେଳେ !

ପାଇକ ଯୁବାର ସମାଧି ଏ’ ଯେ

କାଳ କାଳ ପାଇଁ ରହିଚି ଚାହିଁ

ଏଇଠି ସେ ଯେ ଯୁଦ୍ଧ କଲା

ରକ୍ତ ଦେଲା ଏ ଦେଶ ପାଇଁ !

ସମାଧି ପଥର ଥାଆରେ ଥାଆ !

ଅସୀମ କାଳର ଜନତା ଆଗେ

କହିବୁ କିଭଳି ପାଇକ ପୁଅ

ଜୀବନ ଦେଲା ଯୁଦ୍ଧ ଯାଗେ ।

ତୁହାଇ ତୁହାଇ କହିବୁ ପରା

ଗରଜି ଗରଜି ଡ଼ାକିବୁ ପରା

ଏଇଠି ଏଇଠି ଦେଶପାଇଁ ତାର ଜୀବନ ଦେଲା !

ଏଇଠି ତାହାର ସମାଧି ହେଲା ! ସମାଧି ହେଲା !!

•••

 

ଏ ମାଟିର ଅମର ଶହୀଦ

 

–୧–

 

ତା’ ଦେହ ଅସ୍ଥିମାଂସର ଅବଶେଷ

ରହିଥିବ ଏଇ ଧୂଳି କଣିକାରେ ପଡ଼ି,

ଆକାଶ ପବନ କମ୍ପାଇ ଯାହାତଳୁ

ଫୁଟିଥିଲା ଦିନେ ଶତସିଂହର ରଡ଼ି ।

କହିଥିଲା ଦିନେ ବ୍ରିଟିଶ ଜାତିକୁ ସିଏ

ବଜ୍ରପରାଏ ଦମ୍ଭ କରି ତା’ ଛାତି,

ଜୀବନ ଭିକ୍ଷା କରିବି ତୁମରି ଆଗେ

ମୃତ୍ୟୁରୁ ଭୟ ଦେଖାଉଚ ଦିବାରାତି ?

ଏ ଦେଶ ଜାତିର ସଂପଦ ଗଉରବ

ସଂପି ଦେବି ମୁଁ ତୁମ କରେ ଡରି ଡରି,

ଏ ମୋର ସ୍ୱାଧୀନ କଣ୍ଠେ ମୁଁ ପରା ନିଜେ

ପରାଧୀନତାର ଶୃଙ୍ଖଳ ନେବି ବରି !

ସ୍ୱାଧୀନ ଜୀବନ ଅଗ୍ନି ବୁକୁରେ ଧରି

ମରିଯିବା ଭଲ ସିଂହ ପରାଏ ଲଢ଼ି,

ବଞ୍ଚିବା ପାଇଁ ନିର୍ଲଜ ଦେହ ଧରି,

ଶତ୍ରୁ ଶରଣ ଯିବିନି ଭିକ୍ଷା କରି ।

ଏ ମୋର ଜୀବନ ମୋହର ନୁହେତ ଖାଲି

ମୋ ସାରା ଦେଶର ଏ ଯେ ନିଃଶ୍ୱାସନଳୀ,

ମୋ ଦେହର ପ୍ରତି ରେଣୁରେ ରେଣୁରେ ପରା

ମୋ ଦେଶ ଜାତିର ଗର୍ବ ଉଠଇ ଥରି ।

ମଥା ନତକରି ତୁମରି ଚରଣ ତଳେ

ଆଜି ମୁଁ ଯେବେ ମୋ ଜୀବନ ଭିକ୍ଷା କରେ,

ମୋ’ ଜାତି ଭିତରୁ ବହ୍ନି ନିଭାଇଦେଇ

ରଖିବି ସିନା ମୁଁ ନେଇ କେଉଁ ରସାତଳେ ।

ତା’ ଦେହ ଅସ୍ଥିମାଂସର ଅବଶେଷ

ରହିଥିବ ଏଇ ଧୂଳି କଣିକାରେ ପଡ଼ି

ଆକାଶ ପବନ କମ୍ପାଇ ଯାହାତଳୁ

ଫୁଟିଥିଲା ଦିନେ ଶତ ସିଂହର ରଡ଼ି !

 

–୨–

 

ସେଦିନ ନୁହେତ ବହୁତ ଦିନର କଥା,

ଏଇ ଯେ ଦେଖୁଚ ଦୁର୍ଗମ ଗିରିଗଡ଼,

ଫାସିଦିଆ ବର ଏଇଠି ଯେ ଠିକ୍‌ କଲା

ସେଇ ଯେ ବ୍ରିଟିଶ୍‌ ଜାତି ନିର୍ମମତର ।

ଚତୁର୍ଦ୍ଦିଗରେ ଫଉଜ ରହିଲେ ଘେରି,

ଯମଦୂତ ପରି ଭୀଷଣୁ ଭୀଷଣତର,

ଫାସିପ୍ରାନ୍ତର କିଣି କିଣି ଦେଲା ଡାକ

ମଣିଷ ତହିଁରେ ପଶିବା କଷ୍ଟକର ।

ପିଠିରେ ଚାବୁକ, ହାତେ ହାତକଡ଼ା ଦେଇ

ଏ ଜାତିର ମେରୁଦଣ୍ତକୁ କିଏ ଆଣେ ?

ନିର୍ମମତାର ସକଳ ଅସ୍ତ୍ର କିଏ ଭୂଷି ଭୂଷି ଦିଏ

ତାହାରି ସ୍ୱାଧୀନ ପ୍ରାଣେ !

ମୁକ୍ତିର ସୁରା ଏଇଭଳି ମିଠା କିରେ,

ମୁକ୍ତି ସପନ ଏ ଭଳି ମଧୁରତର !

ଯା ପାଇଁ ମଣିଷ ସକଳ ନିର୍ମମତା

ସହିବା ପାଇଁକି ହୁଅଇ ଅଗ୍ରସର ।

ସମ୍ମୁଖେ ତାର ଫାସିର ବୃକ୍ଷ ଦିଶେ

ଦିଶଇ ଦୁର୍ଗ ବିଲ ବନ ପ୍ରାନ୍ତର,

ସମ୍ମୁଖେ ଖାଲି ଚାଲିଛି ନ କହି ବାଣୀ–

ଏ ବୀର ଜାତିର ଗଉରବ ଅନ୍ତର !

ରହରେ ସିପାହୀ ରହରେ ଫଉଜ ରହ

ଏତେ କିପାଇଁ ନିର୍ମମ ତାହାପରେ,

ଆକାଶ ପବନ ଚତୁର୍ଦ୍ଦିଗରୁ ଅବା

ଭାସି ଆସେ ବାଣୀ ଗିରି ଗଡ଼ ତଳେ ତଳେ ।

ସେ ଦିନ ନୁହେଁତ ବହୁତ ଦିନର କଥା,

ଏଇ ଯେ ଦେଖୁଛ ଦୁର୍ଗମ ଗିରି ଗଡ଼,

ଫାସିଦିଆ ବର ଏଇଠି ଯେ ଠିକ୍ କଲା

ସେଇ ଯେ ବ୍ରିଟିଶ ଜାତି ନିର୍ମମତର ।

 

–୩–

 

ଏ ମହା ଜାତିର ସଂତାନ ହେଲା ଠିଆ

ବରଗଛ ତଳେ ଫାସିରେ ଲଗାଇ ମଥା,

ଅନ୍ତର ତାର କହୁଥିଲା ଅବା କଥା,

ମୃତ୍ୟୁ ଭିତରେ ମରେ ନାହିଁ ସ୍ୱାଧୀନତା ।

କେହିତ ନଥିଲେ କେହିତ ନ ଥିଲେ ତହିଁ

ଦେଖିବାକୁ ତାର ଗୁରୁଗମ୍ଭୀର ମୁହଁ,

ଦେଖୁଥିଲା ଦୂରୁ ନଗର ଓ ଜନପଦ

ଦେଖିଥିଲା ବନ ପର୍ବତ ଝର ସୁଅ ।

ଆଣିଲା ବୁଲାଇ ନିର୍ଭୀକ ଆଖି ଡ଼ୋଳା,

ଚତୁର୍ଦ୍ଦିଗେ ତା’ ଜନମ ମାଟିର ପରେ,

ସେ’ ଯେ ଆଖି ବୀରଦର୍ପ-ଶୋଣିତେ ଗଢ଼ା

ନିୟତ ଯହିଁରୁ ଉନ୍ମାଦନା ଯେ ଝରେ ।

ସେ ଆଖି ଭିତରୁ ଫୁଟିଥିବ ବୀରବାଣୀ

ବିରାଟ ଶୂନ୍ୟେ ଲେଖା ହୋଇଥିବ ରହି,

ଆଜିର ପାତ୍ରୀ ! ବିରାଟ ଶୂନ୍ୟ ଭାଲେ

ନୟନ ପକାରେ ଅଗ୍ନି ଆସୁଛି ବହି !

ପ୍ରଳୟଙ୍କର ଝଡ଼ମାଡ଼ିମାଡ଼ି ଆସୁ,

ଆକାଶ ଭାଙ୍ଗୁ ପଛେ ମସ୍ତକ ପରେ,

ଚାଲିବାକୁ ହେବ ପ୍ରତି ମଣିଷକୁ ଏଥି

ସ୍ୱାଧୀନ ପ୍ରାଣର ନିଆଁ ଜାଳି ବୁକୁ ତଳେ !

ବଂଚିଲା ପରି ପାରିବ ବଞ୍ଚି ସିଏ,

ନଚେତ୍ ଧରାରେ ମଡ଼ା ମୁର୍ଦ୍ଦାର ପରି,

ତା’ର ଜୀବନରେ କିବା ସଂପଦ ଥାଏ ?

ହଜାରେ ବରଷ ରହିଲେ ଜୀବନ ଧରି ।

ଏ ମହା ଜାତିର ସନ୍ତାନ ହେଲା ଠିଆ

ବରଗଛ ତଳେ ଫାସିରେ ଲଗାଇ ମଥା,

ଅନ୍ତର ତାର କହୁଥିଲା ଅବା କଥା

ମୃତ୍ୟୁ ଭିତରେ ମରେ ନାଇଁ ସ୍ୱାଧୀନତା ।

 

–୪–

 

ଦୁର୍ଗମ ଗିରି ତୁଙ୍ଗ ଚୂଡ଼ାରେ ଚାହିଁ

ପଚାରେ ଭଗ୍ନ ଦୁର୍ଗର ପ୍ରତିଶିଳା,

କେଡ଼େ ନିର୍ମମେ ପାଇଲା ସେ ଏଥି ଫାସି,

ଏ ମାଟିର ସେ ଯେ ପୁଅପରି ପୁଅ ଥିଲା ।

ଗଡ଼ ପ୍ରାନ୍ତର ଅସୀମ ଶୂନ୍ୟ ଚାହିଁ,

ନିଜନ ରାତିରେ ପଚାରଇ ବେଳେ ବେଳେ,

ଏଭଳି ନେତାର କଣ୍ଠେ ଦେବାକୁ ଫାସି

ଶତ୍ରୁର ହାତ କେଉଁଭଳି ଗଲା ହେଲେ ?

ଶାନ୍ତ ଶୀତଳ ସମୀରଣ ଦୁରୁ ଆସି

ଘନବନ ଦେହେ ଛୁଇଁ ଛୁଇଁ ଦିଏ କହି,

ଜୟୀ ରାଜଗୁରୁ ଏଇଠି ପାଇଲା ଫାସି,

ନଥିଲେ ତାହାର ସୈନ୍ୟ ପଦାତି ରହି ?

ଦୁର ଧେନୁପଲ ଗୁରୁଗୁରୁ ଟିପା ନାଦେ

ମନ୍ଦ୍ରି ଉଠଇ ଯେହ୍ନେ ଏ ବୀର ବାଣୀ,

ଜୟୀ ରାଜଗୁରୁ ପାଇବାର ବେଳେ ଫାସି,

ମରିନି ତାହାର ବୁକୁର ସିଂହଠାଣି !

ପ୍ରତି ଜନପଦ ଜନପଦେ ଚାହିଁ କହେ

ଜୟୀ ରାଜଗୁରୁ ପାଇଲା ପଛକେ ଫାସି,

ନିଜକୁ କିନ୍ତୁ ଶତ୍ରୁର ପାଦତଳେ

ବିକିନି ବିକିନି ପ୍ରଲୋଭନରେ ଭାସି !

ଅସୀମ ଶୂନ୍ୟ ଏ ମାଟିର ପ୍ରତି କାନେ

କହିଚି କହୁଚି କହୁଥିବ କାଳ କାଳ,

ଜୟୀ ରାଜଗୁରୁ ଅନ୍ତିମ ଆଖି ଡୋଳ

କହିଥିଲା ଯେଉଁ ବାଣୀ ଚିର ବଳିୟାର

‘‘ପ୍ରଳୟଙ୍କର ଝଡ଼ ମାଡ଼ି ମାଡ଼ି ଆସୁ

ଆକାଶ ଭାଂଗୁ ପଛେ ମସ୍ତକ ପରେ,

ଚାଲିବାକୁ ହେବ ପ୍ରତି ମଣିଷକୁ ଏଥି

ସ୍ୱାଧୀନ ପ୍ରାଣର ନିଆଁ ଜାଳି ବୁକୁ ତଳେ ।’’

•••

 

ଜାତିର ଡାକ

 

ମନେ କି ପଡ଼ଇ ଆଜି ଉତ୍କଳର ସେନାପତି !

ବୀରଗର୍ବେ ତୋଳିବାର ସ୍ୱାଧୀନ ବିଜୟ ଛତି

ଓଡ଼ିଶା ଜନନୀ ଶିରେ, ମନେ କିହେ ପଡ଼େ ତବ

କେମନ୍ତେ ଜାତିର କୀର୍ତ୍ତି ରଖିଥିଲ ଅଭିନବ,

କେମନ୍ତେ ସଇନି ଚାଲି କେଶରୀ ବିକ୍ରମେ ବୀର

ଚାଲିଥିଲ ଖଣ୍ତା ଧରି, ଧରି ତଲୁଆର ତୀର

ସଂଗ୍ରାମ କବିତା କେହ୍ନେ ଗାଉଥିଲେ ବୀରଦଳ

ଯାର ଅଗ୍ନି ବୋଳା ତାନ, ପରାଶେ ପରାଶେ ବଳ–

ଆଣୁଥିଲା,ଲଙ୍ଘି ବିଲ ପ୍ରାନ୍ତର ପାହାଡ଼ ପଥ

ଚାଲିଥିଲ ସିଂହପରି ନୋହି ଲବେ ଅବନତ ।

ଜାତିର ପତାକା କେହ୍ନେ ଉଡ଼ୁଥିଲା ଫର ଫର

ସ୍ୱାଧୀନ ଜୀବନ ଘେନି ଦିଶୁଥିଲା ଉର୍ଜସ୍ୱଳ

ଜାତିର ଜୀବନ-ତନ୍ତ୍ରେ ଗୌରବର ହୋମାନଳ

କେମନ୍ତେ ସେ ଜାଳିଥିଲା ଘେନି ଯୁଗ ଯୁଗାନ୍ତର

ହିମାଦ୍ରୀର ପାଦ ତଳୁ ସୁଦୂର ନର୍ମଦା ଯାଏ

କେତେ ରାଜା ମହାରାଜା ସାମନ୍ତ ରାଉତରାଏ

ସସଂଭ୍ରମେ ନୋଇଁ ଶିର ଏ ଜାତି ପତାକା ତଳେ

ସମ୍ମାନ ଓ ଗଉରବ ଦେଉଥିଲେ ବଳେ ବଳେ

ଓଡ଼ିଆର ଗର୍ବଦମ୍ଭ ଓଡ଼ିଆର ସ୍ୱାଧୀନତା–

ପାଶେ ନଇଁ ପଡ଼ୁଥିଲା ସବୁରି ତେଜସ୍ୱୀ ମଥା !

 

ଗଜପତି ରାଜା ପାଇଁ ଏ ଦେଶ ପାଇକ ପିଲା

ସର୍ବସ୍ୱ ସଂପିବା ପାଇଁ ତିଳେ କି କୁଣ୍ଠିତ ଥିଲା ?

‘ଜୟ ଗଜପତି ଜୟ’ ରସନାର ପ୍ରତିସ୍ନାୟୁ

ଗାଉଥିଲା, ଥିବା ଯାଏ ଶେଷ ବିନ୍ଦୁ ପରମାୟୁ

ଓଡ଼ିଶାର ଗଜପତି ଓଡ଼ିଶା ନିଖିଳଦେଶ

ଗୌରବର ସିଂହାସନେ ସ୍ୱାଧୀନ ସୁନ୍ଦର ବେଶ–

ପିନ୍ଧି ଆହା ରହିଥିଲା କେହ୍ନେ ଧରି କାଳ କାଳ

ଜୀବନ ନାଡ଼ିରେ ବହି ଶୋଣିତର ଉଷ୍ମଧାର

ବିଶ୍ୱ ଆଗେ ବଡ଼ ଯେବେ ଥିଲା ଏ ବିଶାଳ ଜାତି

ମୂଳେ ତା ପାଇକ ରକ୍ତ, ପାଇକ ଇସ୍‌ପାତ ଛାତି !

ଉଠ ଉଠ ସେନାପତି ! ଏ ବୀର ପାଇକ ଜାତି

ଏ ମାଟିରେ ଥିବାଯାଏଁ ପତାଇବେ ବୀରଛାତି–

ଗୁଳି ଓ କମାଣ ଆଗେ । ଏ ଜାତି ଶୋଣିତ ଧାର

ଏ ଦେଶର ମୁକ୍ତି ଲାଗି ହେବ ନିଶ୍ଚେ ବଳିଆର ।

ଏ ଦେଶ ବଞ୍ଚିଛି ଯେବେ ବଞ୍ଚିଛି ପାଇକ ଲାଗି

ଯୁଗେ ଯୁଗେଏଇକଥା ଉଠିବ ଏ ବିଶ୍ୱେ ଜାଗି

ନୀଚ ସ୍ୱାର୍ଥ ବାସନାର ଯହିଁ ନାମଗନ୍ଧ ନାଇଁ

କେମନ୍ତେ ରହିବା ଥିର କେଶରୀ ଜୀବନ ପାଇ

ଉଠ ଉଠ ସେନାପତି ! ଆଉ କିପାଁ କର ଡେରି,

କଷ ହେ କମର କଷ ବଜାଅ ସଂଗ୍ରାମ ଭେରୀ !

 

ମହେନ୍ଦ୍ର ଅଚଳ ଡାକେ, ଡାକେ ତୁଙ୍ଗ ମେଘାସନ

ଡାକେ ଗିରି ବାରୁଣେଇ-ପ୍ରତିଶିଳା, ତରୁଗଣ

ଶୋଲରୀଭାଲେରୀ ଡାକେ ଡାକେ ପ୍ରତି ଗୋଡ଼ିମାଟି

ଆସ ସେନାପତି ଆସ ବୀରତ୍ୱ ଗରବେ ଭାତି !

ଚିଲିକାର ନୀଳକାନ୍ତ ପ୍ରତିଊର୍ମି ଥରି ଥରି

ଡାକେ ଆସ ସେନାପତି ଆସ ତଳୁଆର ଧରି

ମହାନଦୀ କହେ ଆଜି କାଠଯୋଡ଼ୀ କାନେ କାନେ

ସେଇ ସେନାପତି ଏକା କରଇ ସଂଗ୍ରାମ ଟାଣେ

ନିଖିଳ ଦେଶର ପ୍ରତି ରେଣୁ ରେଣୁରେ ତବ

ନିମନ୍ତ୍ରଣ ଖେଳି ବୁଲେ ଢ଼ାଳି ପୁଣ୍ୟ ଗଉରବ;

ବାନ୍ଧହେ ପଗଡ଼ି ଶିରେ ବାନ୍ଧ ବୀର ସେନାପତି,

ତୁମରି ଶୋଣିତେ ନାଇଁ ଶତ୍ରୁପଦ ତଳେ ନତି

ତୁମରି ଶୋଣିତେ ନାଇଁ ହାହାକାର ନୈରାଶ୍ୟର

ତୁମେ ଥିଲେ ଏ ଜାତିର ଅଛି ଶତ ସିଂହବଳ,

କରେ ତଲବାର ଧରି ଖାଲି ହୋଇଥିଲେ ଠିଆ

ସବୁରି ପରାଶେ ଜଳି ଉଠିବ ସଘନେ ନିଆଁ

ବୃଦ୍ଧ ବୀର ସେନାପତି ! ତୁମରି ଇସ୍‌ପାତ ଦେହେ

ଯେତେଯେତେ ଖଣ୍ତାଘାତ ଗୋଟିଗୋଟି ହୋଇ ଶୋହେ

ଦେଖ ଏଇ ସୈନ୍ୟଦଳ, ଶତ ସିଂହ ପରାକ୍ରମ

ବୁକୁତଳେ ଖେଳୁ ତୋଳୁ ମଥା ହିମାଚଳ ସମ ।

 

ଜାଣିଚକି ସେନାପତି ଜାଣିଚକି କିଏ ତମେ ?

ଏ ଜାତି ନିଶ୍ୱାସ ଧାରା ତୁମେହେ ବହିଚ ଜଣେ !

ଏ ଜାତିର ମେରୁଦଣ୍ତ ତୁମେ ବୀର ଅରିନ୍ଦମ

ତୁମରି ବାହୁରେ ଫୁଟେ ଏ ଜାତିର ପରାକ୍ରମ

ତୁମେ ବୀର ଏ ମାଟିରେ ମାଟି ହୋଇ ମରିପାର

ତୁମରି ସମାଧି ତଳୁ ଅସୀର ବୀର ଝଙ୍କାର

ଫୁଟୁଥିବ, କାଳ ଦନ୍ତ ହାଣି ଯୁଗ ଯୁଗ ଧରି

ସେ ମାଟି କପାଳେ ବୋଳି ଏ ଜାତି ଜୀବନ ତରୀ

ଏ ଧରଣୀ ସିନ୍ଧୁତୀର ବୀର ଦର୍ପେ ଚାଲିଥିବ

ତୁମରି ଏକଇ ପ୍ରାଣ କୋଟି ପ୍ରାଣେ ଖେଳିଯିବ ।

ବୁଝିଚକି ସେନାପତି ! ତୁମରି ଏ ଜୀର୍ଣ୍ଣପ୍ରାଣ

ସଂଗ୍ରାମେ ପାରିବ ନାଇଁ ଦେଖାଇ ଗଭୀର ଟାଣ ?

ନିଜଠାରେ ପତ୍ୟୟ କି ନିଜେ ପାରୁ ନାହିଁ କରି

ଦେଶର ଦୈନ୍ୟରେ କେବେ ଯିବ କି ଶୋଣିତ ମରି ?

ମିଥ୍ୟା ମିଥ୍ୟା ମହାଭ୍ରମ ଛାଡ଼ି ସେ ଦୁର୍ବଳ ଆଶା

ଧର କରେ ତଲୁଆର ଫୁଟାଅ ଅନଳ ଭାଷା

ଜୀର୍ଣ୍ଣ ଅଙ୍ଗେ ତଡ଼ିତର କମ୍ପନ ଉଠିବ ଖେଳି

ଯୁବକର ବଳବୀର୍ଯ୍ୟ ଶିରାରେ ଉଠିବ ଖେଳି

ଯୁବକର ବଳବୀର୍ଯ୍ୟ ଶିରାରେ ଶିରାରେ ଫେରି

ଦେବ ନବ ଉନ୍ମାଦନା, ଉନ୍ମତ୍ତ କେଶରୀ ସମ

ଆସ ବୀର ସେନାପତି ! ତୁମେ ଏ ଜାତିର ବର୍ମ !

 

ବାଜଇ ସମର ବାଦ୍ୟ ଅସୀମ ଆକାଶ ଚିରି

ବାଜି ଉଠୁ ବୁକେ ତବ ଚାହିଁଛନ୍ତି ସୈନ୍ୟଦଳ

ଚାଲ ସେନାପତି ଚାଲ ଚାହିଁଛନ୍ତି ସୈନ୍ୟଦଳ

ଧର ଏ ପତାକା କରେ ଏଇ ରଣ ଅଶ୍ୱେ ଚଢ଼

ଚାଲ ଏଇ ଦୁର୍ଗ ପଥେ ଚାଲ ହେ ଜାତିର ବୀର

ହିମାଦ୍ରି ପରାଏ କରି ସମୁନ୍ନତ ନିଜ ଶିର

କଟୀ ତଟେ ଖଣ୍ତା ଝୁଲୁ ପୃଷ୍ଠେ ଶୋହୁଶରମୁଣା

ବୁକୁରେ ଅନଳ ଜଳୁ ଢ଼ାଳି ନବ ଉନ୍ମାଦନା

ଜାତି ପାଇଁ ଛାତି ଯେହୁଅକୁଣ୍ଠିତେ ପାରେ ପାତି

ତାକୁ ଏକା ସମାଦର କରେ ଏ ଧରତ୍ରୀ ମାଟି ।

ବୋଲ ଗଜପତି ଜୟ ! ଉତ୍କଳ ଜନନୀ ଜୟ !

ଚାଲ ସେନାପତି ଚାଲ ଦେଇ ଦେଇ ବରାଭୟ

ଦିଅ ନାରୀ ହୁଳୁହୁଳି, ଚାଲେ ବୃଦ୍ଧ ସେନାପତି

ଜାତିର ପତାକା ତଳେ, ଦେଶ ଜନନୀର କ୍ଷତି

ପାରେନା ପାରେନା ସହି, ଚାଲେ ଦୃପ୍ତ ସିଂହ ପରି

ସବୁରି ପରାଣ ତଳେ ବିଜୟର ଆଶା ଭରି-

ଆସଇ ସୋହାଗ ଭରେ । ବାଜଇ ସଂଗ୍ରାମ ଭେରୀ

ଚାଲନ୍ତୁ ପାଇକ ଦଳ ଖଣ୍ତା କରେ ଖେଳି ଖେଳି

ଅଶୀତି ବର୍ଷୀୟ ବୃଦ୍ଧ ଚାଲେ ଆଜି ରଣାଙ୍ଗନେ

ଜାତିର କ୍ରନ୍ଦନ ବାଣୀ ସହି ପାରିଲାନି କ୍ଷଣେ !!

•••

 

ସୈନିକର ଅନ୍ତିମ ମାଗୁଣୀ

 

ବାଜିଲା ଶିଙ୍ଗା ବାଜିଲା ତୁରୀ

 

ବରୁଣୀପାହାଡ଼ କହିବ ତୁମେ

ଶତ୍ରୁ ସଇନି ଦେବାକୁ ଚୂରି

 

ଆସିଲି ମୁଁ ଏଇ ଯୁଦ୍ଧ ଭୂମେ

ସୁଦୂର ସେ କେଉଁ ପଲ୍ଲୀ କଣେ

 

ଅଜଣା ମୋହର କୁଟୀରଟିଏ

ବରୁଣୀପାହାଡ଼ କହିବ ତମେ

 

ମୋ ବିନୁ ମୋହର ନ ଥିଲା କିଏ

ବିଦେଶ ଖାଲି ହେ ଯୁଦ୍ଧ କରି

 

ଜନ୍ମ ଭୁଇଁର କୀର୍ତ୍ତି ଲାଗି

ବାପା ମୋର ଯାଇ ଥିଲେଟି ମରି

 

ବୋଉଥିଲା ମୋର କୁଟୀରଜଗି

ପିଲାଟି ଦିନରୁ ଜନନୀ ମୋରେ

 

ଶିଖାଇଛି ପରା ଖଣ୍ତା ଖେଳ

ଶିଖାଇଚି ଶର ମାରିବା ପୁଣି

 

ପ୍ରତି ନିତି ହେଲେ ସନ୍ଧ୍ୟାବେଳ !

 

 

 

କେତେଦିନ ଏବେ ହେଲାଣି ପରା,

 

ଏଇତଲାଗୁଚି ସପନ ପରି

ଅନ୍ତିମ ଶେଯେ ନୀରବେ ଶୋଇ

 

କହିଥିଲା ବୋଉ ଗର୍ବ କରି,

‘ଜାତିର ପୁଅତୁ ଦେଶର ପୁଅ

 

ପାଇକ ଜାତିର ରକ୍ତ ପରା

ଶିରାରେ ଶିରାରେ ବହଇ ତୋ’ର

 

ଦେଶପାଇଁ ତୋ’ର ଜୀବନ ଗଢ଼ା !

ଦେଶପାଇଁ ଯେବେ ଡାକରାଆସେ

 

ହସିହସି ଆଗେ ହୋଇବୁ ଠିଆ

ଯୁଦ୍ଧ କରିବୁ କମାଣ ଆଗେ

 

ପତାଇ ଦେଇ ତୋ ବଜ୍ର ହିୟା ।’

ମରଣ ଶୟନେ କହିଛି ମୋରେ

 

ତାପରେ ବୁଜିଲା ନୟନ ଡୋଳା

ସେ ଦିନୁ ତା’ର ଅନଳବାଣୀ

 

ବକ୍ଷେ ମୋ ଅଛି ହୋଇଣ ଖେଳା ।

 

 

 

ବାଜିଲା ଶିଙ୍ଗା ବାଜିଲା ତୁରୀ

 

ବରୁଣୀ ପାହାଡ଼ କହିବ ତମେ

ଯୁଦ୍ଧେ ଆସିଲି ଯୁଦ୍ଧ କରି

 

କେହି ମୋର ନାହିଁ ନିଜର ଜଣେ,

ହୁସିଆର ହୁସିଆର ହୋ !

 

ସେନାପତି ପରା ଡାକିଲା ଦୂରେ

ତଲୁଆର ତଲୁଆର ହୋ !

 

ଚାଲି ନିଅ ଏ ଯେ ଶତ୍ରୁ ପୁରେ

ଚାରି ହତିଆର ବନ୍ଧା ହୋ

 

ଡେଇଁ ପଡ଼ି ଯେତେ ସୈନ୍ୟ ଏଥି

ଯୁଦ୍ଧକରି ମୁଁ ଚାଲିଲି ହୋ

 

ଡେଇଁ ଡେଇଁ ଗାଇ ଯୁଦ୍ଧ ଗୀତି;

ବରୁଣୀ ପାହାଡ଼ କହିବ ତମେ

 

ଦୂର ପଲ୍ଲୀର ପାଇକ ପିଲା

ଶର ମୁନ ବାଜି ପଡ଼ିଛି ଏଥି

 

ସରିବ ଏବେ ତା ଜୀବନ ଲୀଳା ।

 

 

 

ବରୁଣୀ ପାହାଡ଼ କହିବ ତମେ

 

କହିବ ମୋ ଦେଶ ସବୁରିକାନେ

କେସନେଉଡ଼୍ର ଭୁଇଁରେ ମୋର

 

ଭଲ ପାଇଛି ମୁଁ ଜୀବନଦାନେ

ବଣ ପର୍ବତ ପରିଖା ଘେରା

 

ଉଡ଼୍ର ମାଟିର ଦୁର୍ଗମାଳା

ଜାତିର ବିଶାଳ ଗର୍ବ ପରି

 

ଜାତି ଇତିହାସେ ଜୀବନ ଧାରା !

ଆକାଶ ଚୁମ୍ବୀ ଦେଉଳ ଶତ

 

ଫତ ଫତ ଯହିଁ ପତାକା ଉଡ଼େ

ପଲ୍ଲୀ ନଗର ସୋଦର ସଖା

 

ଚନ୍ଦ୍ରମୁଖ ମୁଁ କେସନେ ଭୁଲେ ?

ଉଡ଼୍ର ମାଟିର ପବନ ପାଣି

 

ଆକାଶର ଗ୍ରହ ଚନ୍ଦ୍ର ତାରା

ସକଳ ମୋହରି ପରାଣ ପ୍ରିୟ

 

ମୋହର ନାଡ଼ିର ରକ୍ତ ଧାରା !

 

 

 

ବରୁଣୀ ପାହାଡ଼ କହିବ ତମେ

 

ଯୁଗ ଯୁଗ ଧରି କହିବ ପରା

ଏଇ ଗଛତଳେ ବୁଜିଲି ଆଖି

 

ଚାହିଁ ମୋ ଜନନୀ ଉଡ଼୍ର ଧରା;

ବୁଜିଲି ବୁଜିଲି ନୟନ ପରା

 

ଏଇ ଏଇ ଶେଷ ବିଦାୟ ଦିଅ

ଶୁଭୁଛି ଯୁଦ୍ଧ ବାଇଦ ମତେ

 

ବରୁଣୀ ପାହାଡ଼ କୋଳକୁ ନିଅ ।

•••

 

ଲାଲ୍‌ ମାଟିର ଖୋର୍ଦ୍ଧାଗଡ଼

–୧–

ଏଇ ଯେ ଦିଶୁଛି ଲାଲ ମାଟିର ଖୋର୍ଦ୍ଧାଗଡ଼,

ଏ ବୀର ମାଟିର ଉଷ୍ଣ ରକତେ ଯୁଗ ଯୁଗ ଧରି ଉଷ୍ଣତର

ଆସ କଳ୍ପନା ସୁଦୁର ଅତୀତୁ ଆସ ହେ ଆସ ।

କାନେ କାନେ ମୋର କହିଦିଅ ତାର ଗଉରବଭରା ସେ ଇତିହାସ,

ଦେଖାଇ ଦିଅହେ କଳ୍ପନାରାଣି ! ଏ ଗଡ଼ବୁକୁରେ ଶୁଭିଲା ଯେ ବାଣୀ

ବାଜିଲା ଯେ ଦିନ ସମର ବାଦ୍ୟ,

ବୋହିଲା ଯେ ଦିନ ଶୋଷିତ ଆଦ୍ୟ,

କିଭଳି ଏ ଜାତି ସ୍ୱାଧୀନତା ପାଇଁ ଯୁଦ୍ଧ କରିଛି ଭୀଷଣତର,

ଏଇ ଯେ ଦିଶୁଛି ଲାଲମାଟିର ଖୋରଧା ଗଡ଼ ।

–୨–

ଏଇ ଯେ ଦିଶୁଛି ଲାଲ୍‌ ମାଟିର ଖୋର୍ଦ୍ଧାଗଡ଼

ବରୁଣୀ ପାହାଡ଼ ତଳେ ତଳେ ତଳେ ରହିଛି କେବଳ ପଡ଼ିଆବଡ଼।

ଆସ କଳ୍ପନା ସୁଦୂର ଅତୀତୁ ଆସ ହେ ଆସ,

ଜାତି ନିଶ୍ୱାସ ବହୁଥିଲା ଏଥି ବୀରଗଉରବେ ବରଷ ମାସ ।

ସେଦିନ ଏଜାତି ଥିଲା କେଉଁଭଳି ଛାତିରେ ବିରାଟ ଆକାଙ୍‌କ୍ଷା ଭରି,

ବିଜୟ ତୂର୍ଯ୍ୟ ବଜାଇବଜାଇ,

ସ୍ୱାଧୀନ ସପନେ ଜୀବନ ମଜାଇ ।

ସିଂହ ପରାଏ ବୀରବିକ୍ରମେ ଦିଶୁଥିଲା କିବା ଉର୍ଜସ୍ୱଳ।

ଏଇ ଯେ ଦିଶୁଛି ଲାଲ୍‌ ମାଟିର ଖୋର୍ଦ୍ଧାଗଡ଼ ।

–୩–

ଏଇ ଯେ ଦିଶୁଛି ଲାଲ୍‌ମାଟିର ଖୋର୍ଦ୍ଧାଗଡ଼,

ପାଇକ ଜାତିର ହୃତପିଣ୍ତକି ସ୍ପନ୍ଦିତ ହୁଏ ଥରକୁ ଥର ?

ମନେ ପଡ଼େ ଯେବେ ବାଜିଲା ଶିଙ୍ଗା ବାଜିଲା ତୁରୀ,

ଲକ୍ଷ ଲକ୍ଷ ତରୁଣ ପାଇକ ଧଇଲେ ଖଣ୍ତାଧଇଲେ ଛୁରୀ ।

ସିଂହ ପଭାଏ ଗରଜି ଗରଜି ଜୀବନ ସକଳ ମମତା ବରଜି ।

ସ୍ପର୍ଦ୍ଧା ପାଇକି ଖୋର୍ଦ୍ଧା ଭୂଇଁର

ବଳି ଦେଇ ନିଜ ଉନ୍ନତ ଶିର

ଜାତିର କୀର୍ତ୍ତି ବୁକୁର ରକ୍ତେ ରଖିଦେଇଗଲେ ଅନଶ୍ୱର !

ଏଇ ଯେ ଦିଶୁଛି ଲାଲ୍‌ମାଟିର ଖୋର୍ଦ୍ଧାଗଡ଼ ।

–୪–

ଏଇ ଯେ ଦିଶୁଛି ଲାଲ ମାଟିର ଖୋର୍ଦ୍ଧାଗଡ଼,

ଏ ମାଟି ଉପରେ ଜୟୀରାଜଗୁରୁ ଫାଶୀ ପାଇଅଛି କରୁଣତର,

ଗଜପତି ରାଜା ମନ୍ତ୍ରୀ ସେଇରେ ମନ୍ତ୍ରୀ ସେଇ,

ଯୁଗ ଯୁଗ ପାଇଁ ଅମର ହୋଇଚି ଜାତି ପାଇଁ ଛାତି ପତାଇ ଦେଇ

ଏଇ ବରୁଣେଇ ଶିଳା ଗଡ଼ ତଳେ ଦର୍ପେ କହିଲା ଗଉରବ ଭରେ

‘ମରିବି ମୁଁ ଚଢ଼ି ଫାସୀ ଖମ୍ବରେ

ଶୋଣିତେ ମୋ ଅଛି ସେଇ ଦମ୍ବରେ

ଯୁଦ୍ଧ ମୁଁ ଚାହେଁ ସନ୍ଧି ଚାହେନା ଘୃଣିତ ଶତ୍ରୁ ଚରଣ ତଳ’

ଏଇ ଯେ ଦିଶୁଛି ଲାଲ୍‌ମାଟିର ଖୋର୍ଦ୍ଧାଗଡ଼ ।

–୫–

ଏଇ ଯେ ଦିଶୁଛି ଲାଲମାଟିର ଖୋର୍ଦ୍ଧାଗଡ଼।

ବୀର ବକ୍‌ସିର ଅସିଝଙ୍କାର ଦେଲା ଏ ଜାତିରେ ନବୀନ ବଳ ।

ଲକ୍ଷ ଲକ୍ଷ ପାଇକ ଟୋକାରେ ପାଇକ ଟୋକା

ନିଶ ମୋଡ଼ିଦେଇ ବୀରହୁଙ୍କାରେ ତଲବାର କରେ ଦେଲେ ରେ ଦେଖା

ଗରମ ରକ୍ତ ଶିରାରେ ଶିରାରେ ନାଚି ଉଠିଲା କି ଅମର ଲୀଲାରେ

ଶାଣିତ ଶାୟକ ବାଜେ ଘନ ଘନ

କମ୍ପି ଉଠିଲା ଏ ଗଡ଼ କାନନ

ବରୁଣୀ ପାହାଡ଼ ସ୍ତମ୍ଭିତ ହେଲା, ସ୍ତମ୍ଭିତ ହେଲେ ବଇରୀଦଳ !!

ଏଇ ଯେ ଦିଶୁଛି ଲାଲ୍‌ମାଟିର ଖୋର୍ଦ୍ଧାଗଡ଼ ।

 

–୬–

ଏଇ ଯେ ଦିଶୁଛି ଲାଲମାଟିରଖୋର୍ଦ୍ଧା ଗଡ଼

ଯେ ଦିନ ବାଜିଲା ଗୁଳି ବନ୍ଧୁକ ବୁକୁପରେ ତାର ଭୀଷଣତର

ଗଡ଼ର ପାଚିରୀ ଛିଣ୍ତି ପଡ଼ିଲା ଧରଣୀ ତଳେ

ଦୁର୍ଗଶିଖରୁ ପତାକା ଖସିଲା ବଇରୀ ଗୋଳାର ଚମକ ବଳେ

ଚାଲିଲେ ସୈନ୍ୟ ଆହୁରି ସୈନ୍ୟ କି ଅବା ସୁପ୍ତ କେଶରୀ ବନ୍ୟ

ବର୍ଚ୍ଛାରେ କରି ବଇରୀ ଚର୍ଚ୍ଚା

ଦେଖାଇ ଦେଲେରେ ପାଇକବଚ୍ଚା

ଜନମ ମାଟିର ଅପମାନ ଆଗେ ଜୀବନ ଆମର ନୁହେଁରେ ବଡ଼ !

ଏଇ ଯେ ଦିଶୁଛି ଲାଲ୍‌ମାଟିର ଖୋର୍ଦ୍ଧାଗଡ଼ ।

–୭–

ଏଇ ଯେ ଦିଶୁଛି ଲାଲ୍‌ମାଟିର ଖୋର୍ଦ୍ଧା ଗଡ଼

ବୀର ବକ୍‌ସିର ସମରସଜ୍ଜା ଦେଖିଥିବ କେଡ଼େ ଭୀଷଣତର

ଟମ୍‌ ଟମ୍‌ ଟମ୍‌ ଟମକ ବାଜିଲା ପାହାଡ଼ ତଳେ

ଦଳ ଦଳଦଳ ସୈନ୍ୟ ସକଳ ଠିଆହେଲେ ଧନୁବର୍ଚ୍ଛା କରେ

ବକ୍‌ସି କହିଲେ ବହ୍ନି ଜଳାଇ ଉଠିବାରେ ଆମେ ଦେଶ ଜାତିପାଇଁ

ପରପଦାନତ ଖୋର୍ଦ୍ଧା ମାଟିର

ଆମେରେ ପାଇକ କାଟି ନିଜ ଶିର

ଏ ବୀରମାଟିର ମୁକ୍ତି କେତନ ଉଡ଼ାଇବା ଆମେ ପାଇକ ଦଳ;

ଏଇ ଯେ ଦିଶୁଚି ଲାଲ୍‌ମାଟିର ଖୋର୍ଦ୍ଧା ଗଡ଼ ।

–୮–

ଏଇ ଯେ ଦିଶୁଚି ଲାଲ୍‌ମାଟିରେ ଖୋର୍ଦ୍ଧା ଗଡ଼

ବୀର ବୀର୍ଯ୍ୟର ବିରାଟ ସାଧନା ଦେଖିଅଛି ପରା ବହୁତ ଥର,

ସେ ଦିନ ଯାଇଛି ଅତୀତ ଗରରେ ନୀରରେ ମିଶି

ଦେଖିଚି ଏ ବନ କାନନ ପାହାଡ଼ ଆକାଶ ପବନ ଦିବସ ନିଶି

ଦୁର୍ଗ ପଡ଼ିଚି ଭୁଇଁରେ ଟଳି, ସେ ବୀରଦର୍ପ ଯାଇଛି ଜଳି,

ବରୁଣେଇ ଖାଲି ଟେକିଛି ମଥା ।

ଅତୀତ କାହାଣୀ ଗରବ କଥା

କାନେ କାନେ ଆଜି ସାରା ଓଡ଼ିଶାର କହିଯାଏ କିବା ଲକ୍ଷ ଥର

ଏଇ ଯେ ଦିଶୁଚି ଲାଲ୍‌ମାଟିର ଖୋର୍ଦ୍ଧା ଗଡ଼ ।

–୯–

ଏଇ ଯେ ଦିଶୁଚି ଲାଲ୍‌ମାଟିର ଖୋର୍ଦ୍ଧାଗଡ଼

ମାନହୀନହୋଇ ଗଜପତି ରାଜା ଚାଲିଲେ ସେ କେଉଁ ବନ୍ଦୀଘର।

ନ ଶୁଭିଲା ଆଉ କନକ କାହାଳୀ ସେ ଗଡ଼ ପୁରେ

ନ ପଡ଼ିଲା ଆଉ ରୂପାର ଆଲଟ, ନ ଜଳିଲା ଯୋଡ଼ା ମଶାଲବାରେ

ନ ଫୁଟିଲା ବାଣ ଦୁର୍ଗ ଦୁଆରେ ଆଉତ ରାଜନ ସାତ ପଟୁଆରେ

ଚାଲିଲେନି ଏଥି ଏ ଗଡ଼ ଦୁଆର

ବିଲ ପଦା ହେଲା କାଳ କାଳ କାଳ

କୃଷକ ବାପୁଡ଼ା ହଳକରି ଗଲେ କହେ ‘‘ଏଥିଥିଲା ନଅର ବଡ଼’’

ଏଇ ଯେ ଦିଶୁଚି ଲାଲ୍‍ମାଟିର ଖୋର୍ଦ୍ଧା ଗଡ଼ ।

–୧୦–

ଏଇ ଯେ ଦିଶୁଚି ଲାଲ୍‍ମାଟିର ଖୋର୍ଦ୍ଧାଗଡ଼

ହଜାର ହଜାର ବରଷ ପରେ ବି ଜାତିର ଏ ଥିବ ତୀର୍ଥସ୍ଥଳ !

ଶତ ଶହୀଦର ପୁଣ୍ୟ ଶୋଣିତ ବୋଳା ଏ ମାଟି

ଶତ ସର୍ଦ୍ଦାର ବୀର ଖୋର୍ଦ୍ଧାର ଏଇଠି ଦେଇଚି ବକ୍ଷ କାଟି

ପାଇକ କିଶୋରୀ ନବ ଯଉବନୀ ସଂଗ୍ରାମେ ଏଥି ସାଜିଛି ସଇନି

ପ୍ରିୟରେ କହିଚି ଚାଲ ରଣେ ଚାଲ

ନିଅ ଏ ଖଣ୍ତା, ନିଅ ଏଇ ଢ଼ାଲ

ଯୁଗ ଯୁଗ ଧରି ଏ ମାଟି ଆମର ନିଶାଣ ତୋଳିଛି ଶୁଦ୍ଧତର !

ଏଇ ଯେ ଦିଶୁଚି ଲାଲ୍‍ମାଟିର ଖୋର୍ଦ୍ଧା ଗଡ଼ ।

–୧୧–

ଏଇ ଯେ ଦିଶୁଚି ଲାଲ୍‍ମାଟିର ଖୋର୍ଦ୍ଧା ଗଡ଼

ବରୁଣୀ ପାହାଡ଼ ତଳେ ଚାଲି ଚାଲିଯାଆନା ଯାତ୍ରୀ କୁଟୀରେ ତୋର

ଚାହିଁ ଚାହିଁ ଥରେ ନୟନ ମେଲାଇ ଚାହାରେ ଚାହାଁ

ଏଇ ମାଟି ଗୋଡ଼ି ଏଇ ବଣ ବୁଦା ଭଗ୍ନ ଏ ଗଡ଼ ଦେଉଳ ଗାଆଁ

ରକ୍ତ କି ତୋର ଉଠୁନାହିଁ ତାତି ଫୁଲି ଉଠୁନିକି ଗଉରବେ ଛାତି ?

ଉଠେନି କାନ୍ଦି ଅନ୍ତର ତୋର

ଦେଖି ଶ୍ମଶାନ ବୀର ଅତୀତର ?

ଜୀର୍ଣ୍ଣ ଏ ଭୂଇଁ ଗଭୀରେ କି ଛୁଇଁ ଯାଉନି ତୋହର ମରମ ତଳ ?

ଏଇ ଯେ ଦିଶୁଚି ଲାଲ୍‍ମାଟିର ଖୋର୍ଦ୍ଧା ଗଡ଼ ।

•••

 

ପାଇକ-ଟୋକା

 

ଦମ ଦମ ଚାଲେ ପାଇକ-ଟୋକା ଦୂରେ ବୀରବାଜା ବାଜଇରେ

ସିନ୍ଦୂର ଶିରୀ କପାଳେ ତା’ର ବାଘଚମ ଦେହେ ସାଜଇରେ ।

ଦମ ଦମ ଚାଲେ ପାଇକ-ଟୋକା କଟୀରେ ଖଣ୍ତା ଝୁଲଇରେ

ସିଂହ କେଶର ପରି ତା’ ନିଶ ବେଳୁ ବେଳ ପରା ଫୁଲଇରେ ।

ଦମ୍‌ ଦମ୍‌ ଚାଲେ ପାଇକ-ଟୋକା ତମ୍‌ ତମ୍‌ ଆଖି ଦିଶଇରେ

ହୁଳହୁଳି ଦିଏ ପାଇକ ଝିଅ ରଙ୍ଗ ସଙ୍ଗୀତେ ମିଶଇରେ ।

 

ଯୁଦ୍ଧ କରୁଚି ପାଇକ-ଟୋକା, ଜାତିର ପତାକା ଉଡ଼ଇରେ

ମଶା ପରି ସବୁ ଶତ୍ରୁ ସଇନି ଦୂରକୁ ଦୂରକୁ ତଡ଼ଇରେ ।

ଯୁଦ୍ଧ କରୁଚି ପାଇକ ଟୋକା ଶିରେ ଶୋହେ ସୁନା-ପଗଡ଼ିରେ

ଶତ୍ରୁ ପରାଣେ ଭୀଷଣ ଭୀତି ଶୁଣି ତା କଣ୍ଠ ରଗଡ଼ିରେ ।

ପେଁ ପେଁ ବୀର କାହାଳି ବାଜେ ‘ଜୟ ଗଜପତି’ ଶୁଭଇରେ

ନାଚଇ ପାଇକ ଦିଗୁଣ ଟାଣେ ସମର ପଡ଼ିଆ ଦବଇରେ !

 

ମନ୍ଦାର ମାଳା କଣ୍ଠେ ତା’ର ମାଆ ବରୁଣୀର ରାଜଇରେ

ଶୋଣିତେ ଶୋଣିତେ ଜନ୍ମଭୁମି-କୀର୍ତ୍ତିକଳାପ ବାଜଇରେ ।

ଦୂରେ ବୀର ବାଜା ଗଭୀରେ ବାଜେ ଟାଣେ ନାଚିଯାଏ ପାଇକରେ

ଶାଣିତ ଖଡ଼୍‌ଗ ଦି’ ହାତେ ଚାଳେ ନ ମାନି ଶତ୍ରୁ ସାୟକରେ ।

ଶତ୍ରୁର ଅସି ବାହୁରେ ବାଜି ବାହୁ ତା’ ଭୁଇଁରେ ଲୋଟଇରେ

ଆସମାନ ପରି ଅନଳ କଣା ତା’ ଆଖି ଦୁଇରୁ ଫୁଟଇରେ ।

 

ଯୁଦ୍ଧ କରୁଚି ପାଇକ-ଟୋକା ଦୁର୍ଗ ପାହାଡ଼ ଚାହଁଇରେ

ଖାତିରି ନାଇଁରେ ଶୋଚନା ନାଇଁ ବାହୁରୁ ରକ୍ତ ବୁହଇରେ ।

ଯୁଦ୍ଧ କରୁଚି ପାଇକ-ଟୋକା ସ୍ତବଧ୍‌ ଆକାଶ ଧରଣୀରେ

ଦୂରେ ବୀର ବାଜା ଗଭୀର ବାଜେ ଦେଖି ଆଖି ବୁଜା କରଣୀରେ ।

ଯୁଦ୍ଧ କରୁଚି ପାଇକ-ଟୋକା ଜାତିର ମୁକ୍ତି ପାଇଁ କିରେ

ନିଅନା ନିଅନା ଶିବିରେ ତା’ରେ ବୁକେ ତା’ ଦମ୍ଭ ନାଇଁକିରେ ?

 

ଯୁଦ୍ଧ କରୁଚି ପାଇକ-ଟୋକା ଶିବିରେ ସେ ଫେରି ଯାଉନିରେ

ଥରଥର କରି ଡାକରା ଆସେ କେତେ ଲହୁ ଦେହୁ ବୋହୁନିରେ !

ଅତ୍ୟାଚାରୀର ଅତ୍ୟାଚାରେ ଦେଶର ଜୀବନ ସରିବରେ

ସମର ଭୁଇଁରୁ କେସନେ କହ ବୁକେ ଲହୁ ଥାଇ ଫେରିବରେ ।

ରାଇଜ ରକ୍ତ ଶୋଷିବା ପାଇଁ ଆସିଛି ଶତ୍ରୁ ସଇନିରେ

କେସନେ ଯିବ ସେ କୁଆଡ଼େ ଯିବ ଦେଶରେ ଖେଳାଇ ଦଇନିରେ ।

 

ଯୁଦ୍ଧ କରୁଚି ପାଇକ-ଟୋକା ଘଣ୍ଟି ଘାଗୁଡ଼ି ବଜାଇରେ

ଦୂରେ ବୀର ବାଜା ଗଭୀରେ ବାଜେ ସମର ପଡ଼ିଆ ତେଜାଇରେ

ଜାନୁରେ ବାଜିଲା ଶତ୍ରୁ ଆସି ସୁଅପରି ବନି ବହିଲାରେ

ପରୁଆ ନାଇରେ ଖାତିରି ନାଇଁ ତା’ ବୀର ବକ୍ଷ କହିଲାରେ ।

ଦପ୍‌ ଦପ୍‌ ନିଆଁ ନୟନ ତା’ର ଖପ୍‌ଖପ୍‌ ଡ଼େଇଁ ଯୁଝରରେ

ଜନ୍ମଭୂଇଁର ଚରଣ-ପଦ୍ମ ଆପଣା ରକ୍ତେ ପୂଜଇରେ !

 

ଯୁଦ୍ଧ କରୁଚି ପାଇକ-ଟୋକା ବଇରୀ ବକ୍ଷ ଥରାଇରେ

ଜନ୍ମଭୂଇଁର ମୁକ୍ତି ଲାଗି ଜୀବନକୁ ପାଣି ଛଡ଼ାଇରେ।

ବକ୍ଷେ ବାଜିଲା ଶତ୍ରୁ ଅସି ଖଣ୍ତା ଚାଲନା ସରିନିରେ

ଭୂଇଁରେ ନିମିଷେ ପଡ଼ିଲା ଟଳି ଆତୁରେ ପରାଣ ଥରିନିରେ ।

ଶିବିରୁ ଆସିଲା ଡାକରା କେତେ ପଛକୁ ସେ ଫେରି ଚାହିଁନିରେ

ରକତ-ସିନାନେ ବୁଡ଼ିଚି ଦିହ ଓଠ ଫେଇ କାରେ କହିନିରେ ।

 

ଯୁଦ୍ଧ ଭୂଇଁରେ ନୟନ ବୁଜି କାଳ କାଳ ପାଇଁ ଶୋଇଚିରେ

କଟୀରେ ଘଣ୍ଟି ପଗଡ଼ି ଶିରେ କରେ କରବାଳ ରହିଚିରେ ।

ଚିତ୍ରକୂଟର ପାହାଡ଼ ତଳେ ‘ମନ୍ଦାକିନୀ’ଟି ବହଇରେ

ରଜତ-ଊର୍ମି ଗରବେ ତୋଳି ଲଟାବୁଦା କାନେ କହଇରେ–

‘‘ଶିବିରୁ ଆସିଲା ଡାକରା କେତେ ପଛକୁ ସେ ଫେରି ଚାହିଁନିରେ

ରକତ-ସିନାନେ ବୁଡ଼ିଚି ଦିହ ଓଠ ଫେଇବାରେ କହିନିରେ ।’’

•••

 

ପାଇକ-ବଧୂର ଉଦ୍‌ବୋଧନ

 

ଏଇ ଦୁର୍ଗ ଏଇ ବନ ଏ ନୀଳ ପ୍ରାନ୍ତର

ପଡ଼ିଅଛି ଶମଶାନ ପରି

ନାଇଁ ସେ ପାଇକ ବାଦ୍ୟ-ରଣ-ଶିଙ୍ଗା

ନାହାନ୍ତି ସେ ଯୋଦ୍ଧୃବେଶ ଧରି–

ଖଣ୍ତାୟତ ବୀର

ଫୁଟେ ନାଇ ତୋପ ଓ ବନ୍ଧୁକ

ଛୁଟେ ନାଇଁ ଲକ୍ଷ ଲକ୍ଷ ତୀର

ଟପ୍‌ ଟପ୍‌ ଚାଲେ ନାଇଁ ଘୋଡ଼ା

ସମୀରଣ ବୋହିଯାଏ ନୀରବେ ଗୁଂଜରି

ବୁଲନ୍ତି ଶ୍ୱାପଦକୁଳ ହୋଇ ଯୋଡ଼ା ଯୋଡ଼ା ।

ଏଇ ବୀର ମାଟି !

ଚାହିଁଲେ ନିମଷେ ଯାରେ

ରକ୍ତ ଯାଏ ତାତି,–

ରହିଅଛି ପଡ଼ି

ଅତୀତର ଲକ୍ଷବୀର ଗାଥା

ବୁକୁତଳେ ଧରି !

କହ କଥା ହେ ବନ ପ୍ରାନ୍ତର !

କହ କଥା ସମର ପ୍ରାଙ୍ଗଣ !

କହ କଥା ଭଗ୍ନ ଦୁର୍ଗଶିଳା

କହ କଥା ଶଇଳ କାନନ !

କେମନ୍ତେ ସେ ଖଣ୍ତାୟତ ବଧୂ

ରଣ ଶିଙ୍ଗା ବଜାଇ ବଜାଇ

ବୀରବେଶେ ସମର ପ୍ରାଙ୍ଗଣେ

ଆଣିଲା ତା ସ୍ୱାମୀରେ ସଜାଇ,

କରେ ଦେଲା ତୀକ୍ଷଣ ତଲବାର

ଭାଲେ ଦେଲା ବିଜୟ ସିନ୍ଦୂର

ଶରମୃଣା ବାନ୍ଧିଲା ଚରମେ

ଆର କରେ ଦୀପ୍ତ ଧନୁଶର,

କେମନ୍ତେ ସେ ବୀର୍ଯ୍ୟବତୀ ବାଳା

କଣ୍ଠତଟୁ ଦେଲା ହୁଳହୁଳି

ବନ୍ଦାଇଲା ସ୍ୱାମୀରେ ସୋହାଗେ

ଯାଅ ଦର୍ପେ ଯୁଦ୍ଧ କର ବୋଲି,

ମନ୍ଦାରର ମାଳା ବକ୍ଷପଟେ

ଲମ୍ବାଇଲା ଆଦର ଯତନେ

ଗାଇଲା ସେ ସମର ସଙ୍ଗୀତ

ମେଘମନ୍ଦ୍ରେ କୁଟୀର ପ୍ରାଙ୍ଗଣେ

ଯିବାପାଇଁ ହବ ରଣ ପ୍ରାଙ୍ଗଣେ ଯିବାପାଇଁ ହବ ବୀର

ମାରିବାକୁ ହେବ ଲକ୍ଷ ସଇନି ଫୋପାଡ଼ି ଲକ୍ଷ ତୀର ।

ତରୁଣୀ ବକ୍ଷଲାଗି ପ୍ରିୟତମ ଜନ୍ମ ନୁହଇ ତବ

ଜନ୍ମଭୂଇଁର ମଙ୍ଗଳ ଲାଗି ଜୀବନ ଦବାକୁ ହବ ।

ଶତେକ ସୈନ୍ୟ ସାଥେ ରଣ କରି ବିଜୟ ଲକ୍ଷ୍ମୀ ବରି,

ଆସିବ ଯେ ଦିନ କୋଟି ଗଉରବେ ନେବି ମୁଁ ଆଦର କରି ।

ଆଗେ ବାଜୁଥିବ ସଂଗ୍ରାମ ବାଜା ପଛେ ଆସୁଥିବ ତମେ

ବିଜୟ କେତନ ହାତେ ଧରିଥିବ ଦେଖିବି ନୟନ କଣେ ।

ବନ୍ଦାଇ ନେବି କୁଟୀରେ ସୋହାଗେ ପଦ ବନ୍ଦନା କରି

ଚାଲ ପ୍ରିୟତମ ସମର କ୍ଷେତ୍ର ବକ୍ଷେ ଅନଳ ଭରି ।

କାହିଁ ତାର ସେହି ବାଣୀ ?

କାହିଁ ତାର ଅଗ୍ନିବୋଳା ଦୃପ୍ତ ଉଦ୍‌ବୋଧନା !

କାହିଁ ସେଇ ଖଣ୍ତାୟତ ବଧୂ ?

ଏ ଭଗ୍ନପ୍ରାଚୀର ପ୍ରତିଧୂଳି ମାଟି ଗୋଡ଼ି

–ମେଳେ ଯେହ୍ନେ ରହିଥିବ ସେଇ ଅଗ୍ନିବାଣୀ !

ଏ ବନ ପ୍ରାନ୍ତର ପଥେ ସମୀରଣ ଗୁଞ୍ଜରଣେ

ସେଇ ବାଣୀ ଥିବନି କି ? ମିଶି ଦିବା ଯାମୀ ?

ଏଇ ପଥ ତରୁ ତୃଣ ଶୁଣିଥିବ ନିକି ?

ସେ ବାଣୀର ଅଗ୍ନି ଉତ୍ତେଜନା;

କେମନ୍ତେ ସେ ବୀରବାଳା ଦେଶଲାଗି ତାର

ସ୍ୱାମୀରେ ତା ଦେଇଥିଲା

ସିଂହ ଉଦ୍‌ବୋଧନା ?

ମରିନ ମରିନ ତୁମ୍ଭେ ଏ ମାଟିର ପ୍ରତିରେଣୁ ତଳେ

ତୁମରି ସେ ପ୍ରସାରିତ ବିରାଟ ଅନ୍ତର,

ଏଇ ଟାଙ୍ଗି ଲଟାବୁଦା ଦୁର୍ଗଶିଳା ମେଳେ

ଲିଳାୟିତ ଯୁଗ ଯୁଗାନ୍ତର !

ଆସ ପାନ୍ଥ !

ଆସ ଏଥି ଆସ

ଆସ ପୌର ! ଆସ ଜାନପଦ !

ବସ ଏଇ ଶିଳା-ଆସ୍ତରଣେ

ଚାହିଁ ବକ୍ଷଭରି !

ବିରାଟ ଅନ୍ତର କା’ର ଏ ଭୂମିର ପ୍ରତିରେଣୁ ତଳୁ

ଅଗ୍ନି ବାଣ ସମ

କହିଯାଏ ବିରାଟ ବାରତା ବିଶ୍ୱ ଅନୁପମ;

କର ନମସ୍କାର !

ଶୋଣିତେ ଶୋଣିତେ ତବ ଖେଳି ଉଠୁ ଜାତିର ଝଙ୍କାର

ଏ ବିଜନ ଭଗ୍ନଦୁର୍ଗ, ଏ ବନ-ପ୍ରାନ୍ତର,

ଯୁଗ ଯୁଗ ସଜୀବ ସୁନ୍ଦର !!!

•••

 

ଛାତି ଫୁଲିଯାଏ

 

କି ଲାଗି ତରୁଣି ! ଏଡ଼େ ହୀନିମାନେ କାଟୁଚ ଜୀବନ ସାରା,

ଯଉବନ ତନୁ କ୍ଷୀଣ ଦିଶିଯାଏ ବହଇ ଅଶ୍ରୁଧାରା ।

ଏ ତରୁଣୀ କାଳେ କି ଅବା ଯାତନା ବକ୍ଷେ ରହିଛି ଭରି

ଫୁଟଇ ଯୂଥିକା, ଛୁଟଇ ମଳୟ, ଜୋଛନା ଯେ ଅଛି ପଡ଼ି,

ହସି ଖେଳି ଚାଲ ଅମର ସୋହାଗେ ସଜ ସୁମନଟି ପରି

ଏ ମିଳିନ ବେଶ କାହାର ବିରହେ କାହା ହାତ ଅଛି ଧରି ?

କି ଲାଗି ତରୁଣୀ ଏଡ଼େ ହୀନିମାନେ ରହିଚ ଜୀବନ ସାରା ?

ବୁକୁତଳେ କିବା ଗୁମରି ଉଠଇ ଗୋପନ ବେଦନ ଭାରା !

ରକ୍ତିମ ଫୁଲ ନୀଳ ବେଣୀପରେ ଖୋସି ଚାଲ ନାଇଁ ପଥେ,

ମାଣିକ୍ୟ ଓଠେ ଫୁଟେ ନାଇଁ ହସ କିଞ୍ଚିତେ ଅବିରତେ ।

କାହାରେ କରିଚ ପ୍ରାଣ ପ୍ରିୟତମ ବକ୍ଷ-ସେନେହ ଢାଳି,

କି ଲାଗି କିଶୋରି ! ଫୁଟିଉଠେ ତୁମ କନକ କପାଳେ କାଳି ?

‘‘ପ୍ରିୟତମ ମୋର ଏ ବୀର ମାଟିର ବୀର ସନ୍ତାନ ଜଣେ

ସମର ଭୂଇଁରେ ସଂଗ୍ରାମ କରି ଯାଇଚି ଉଦାର ମନେ,

ପ୍ରିୟତମ ମୋର ମହା ବଳିୟାର ଯୁବା ଗଜା ବୟସିଆ

କପାଳେ ଖେଳଇ କନକ ଦୀପ୍ତି ନୟନେ ଭୀଷଣ ନିଆଁ

ପ୍ରିୟତମ ମୋର ଏ ବୀର ମାଟିର ବୀର ସନ୍ତାନ ଜଣେ

ସମ୍ମୁଖ-ରଣେ ଯୁଦ୍ଧ କରିବା ଗୁରୁ ଗଉରବ ମଣେ ।

ପ୍ରିୟତମ ମୋର ନିର୍ଭୀକ ବୀର କାହାରେ ସେ ନାଇଁ ମାନେ,

ସଂଗ୍ରାମ ଭେରୀ ଶୁଣି ତା’ବକ୍ଷେ ରକ୍ତ ନାଚଇ ଟାଣେ ।

ସମର ଭୂଇଁରେ ନାଚି ଯାଉଥିବ ଶତ୍ରୁ ସଇନି ଚୁରି;

ଉନ୍ମାଦନାର ବିପୁଳ ବହ୍ନି ବୁକେ ଉଠୁଥିବ ପୂରି;

ପ୍ରିୟତମ ମୋର ଦେଶ ଓ ଜାତିର ଗଉରବମୟ ପ୍ରାଣ

ଦେଶ ପାଇଁ ଯେତେ ଶିରୀ ବଲଭବ ଅକାତରେ କରେ ଦାନ !

ପ୍ରିୟତମ ମୋର ବିଦାୟ ନିମେଷେ ହସି ହସି ଗଲା କହି

କେ’ କହିବ ଏଇ ଦେଖ ଶେଷଦେଖା ନ ହେବ ପରାଣ ସହି ?

କପାଳେ କନକ ଅଙ୍ଗୁଳି ଚାଳି କହିଗଲା ପ୍ରିୟତମ,

ଜନମ ଭୁଇଁର ବେଦନା କିଭଳି ସହିବ ପରାଣ ମମ ?

ଏଇ ତଳୁଆରେ କାଟିବି ବଇରୀ କଟି ଯାଉ ପଛେ ମଥା

ରକ୍ତ କି ଭଳି ସହିବ ନିରେଖି ଦେଶଜନନୀର ବ୍ୟଥା ।

ଚାଲିଲା ଚାଲିଲା ପ୍ରିୟତମ ମୋର,ଚାହିଁଚି ଚାହିଁଚି ମୁହିଁ

ବିଦୁଂତସମ କି ମହା ଚମକ ଗଲା ତା’ ଶରୀରେ ଭେରୀ,

ତରୁଣ ପାଇକ ରଣ ପ୍ରାଙ୍ଗଣେ ଗୋଟିଗୋଟି ଗଲେ ଖେଳି

ଗାଇଲା ଗାଇଲା ପ୍ରିୟତମ ମୋର ସଂଗ୍ରାମ ବେଶ ସାଜି

‘ଦେଶ ଜନନୀର ସ୍ୱର୍ଣ୍ଣମୁକୁଟ ଅକ୍ଷୁଣ୍ଣ ରଖ ଆଜି ।’

ପ୍ରିୟତମ ମୋର ଗାଇଲା ସେ’ ଦିନ ରକ୍ତ ପତକା କରେ

ଉତ୍କଳ ମାଟି ପାଇକ ତରୁଣ ପୃଥିବୀକୁ ନାଇଁ ଡରେ;

ଏ ପଥର ଗଡ଼ ଭାଙ୍ଗି ପଡ଼ିବ ବଇରୀର ଗୁଳା ବାଜି

ଏ ବୀର ରକ୍ତ ବକ୍ଷେ ବହିତ ଉଠ ଗଉରବେ ସାଜି,

ବକ୍ଷ ରକତେ ରଞ୍ଜିତ କର ଜାତି ଇତିହାସ ତବ

ଜାତିର ଜୀବନେ ଦିଶିବ ତୁମେ ରେ ସୁନ୍ଦର ଅଭିନବ ।’’

ପ୍ରିୟତମ ମୋର ଗରଜି କହିଲା, ବାଜିଲା ଯୁଦ୍ଧ ବାଜା

‘‘ଉଠରେ ଉଠରେ ପାଇକ ସୈନ୍ୟ ଉଡ଼ାଅ ରକ୍ତ ଧ୍ୱଜା,

ଉଠ ଚମୂପତି, ଉଠ ରଣସିଂହ ନକର ନକର ଡେରି

ଦୁର୍ଗ ଦୁଆର ପଥର କବାଟ ପଡ଼ିବ ନିମିଷେ ଛିଡ଼ି

ଦେଶ ଯେ ଆମର ଜୀବନ ଗର୍ବ ସବୁ ସମ୍ପଦ ଶିରୀ

ଟୋପାଟୋପା କରି ରକ୍ତ ଦେବାରେ ଆପଣା ବକ୍ଷ ଚିରି ।’’

କମ୍ପି ଉଠିଲା ବରୁଣୀପାହାଡ଼ ନାଚିଲା ଖୋର୍ଦ୍ଧା ଗଡ଼

ଅସୀଝଙ୍କାର ବୀର ହୁଙ୍କାରେ ବଇରୀ ଭଜିଲା ଜଡ଼ ।

ବଂ ବଂ ବଂ ଧବଳେଶ୍ୱର ! ସାହାହୁଅ ବରୁଣେଈ

ପାଇକର ମେଳେ ଶତ୍ରୁ ସଇନି ପଶି ପାରିଲେନି କେହି,

ପିଁ ପିଁ ଚାଲେ ଶାଣିତ ସାୟକ ଦମ୍‌ ଦମ୍‌ ପଡ଼େ ଗୋଳା

କଂପି ଉଠିଲା ବରୁଣୀ ପାହାଡ଼ ଛିଡ଼ିଲା ବଇରୀ ମଡ଼ା ।

ଯୁଦ୍ଧ ଲାଗିଲା ଯୁଦ୍ଧ ଲାଗିଲା ପୃଥିବୀ ଉଠିଲା ଥରି

ହଜାର ହଜାର ପାଇକ ସୈନ୍ୟ ସମରେ ପଡ଼ିଲେ ଢଳି ।

କିଏ ସେ ବୃଦ୍ଧ, କିଏ ସେ ତରୁଣ ଗଜୁରି ଉଠଇ ନିଶ

ଖଣ୍ତା, ପରଶୁ, ଧନୁ, ଧନୁଶରେ ଝଲମଲ ଦଶଦିଶ ।

କପାଳେ କାହାର ସିନ୍ଦୁର ଶିରୀ ଦାଉ ଦାଉଦାଉ ଦିଶେ ।

ପ୍ରିୟତମ ମୋର ତାହାରି ଭିତରେ ଅଗ୍ନି ମୂରତି କି ସେ ?

ଯୁଦ୍ଧ ଲାଗିଲା ଯୁଦ୍ଧ ଲାଗିଲା ଦଶଦିନ ଦଶରାତି

ପ୍ରିୟତମ ମୋର ଡରିନି ନିମେଷେ ଇସ୍ପାତ୍‌ ପରି ଛାତି

ଯୁଦ୍ଧ ଭୁଇଁର ଏ ପାଖୁ ସେ ପାଖ ଯାଇଚି ଗରବେ ଘୂରି

ଦେଶ ଯେ ଆମର ଜୀବନ ଗର୍ବ ଯାଅନି ଯାଅନି ଭୁଲି,

ଯୁଦ୍ଧ ଲାଗିଚି, ଦମ୍‌ ଦମ୍‌ ଦମ୍‌ ବାଜୁଚି ଯୁଦ୍ଧ ବାଜା

ପ୍ରିୟତମ ମୋର ବନ୍ଦୀ, ଶୁଭିଲା, ବନ୍ଦୀ ଖୋର୍ଦ୍ଧା ରାଜା !

ସେତିକି ଫେରିବେ ପ୍ରିୟତମ ମୋର ଫେରିବେ କୁଟୀଣ ପୁରେ ?

ଯୁଦ୍ଧ କରିଚି ଦେଶ ପାଇଁ ବୋଲି ଗର୍ବେ ମୋ ଛାତି ଫୁଲେ !

ଆଉ ଆସିବେନି ଆଉ ଦେଖିବିନି ଅଶ୍ରୁ ମୋ ଉଠେ ଝରି,

ସେଥିଲାଗି ଏଇ ମଳିନ ବେଶଟି ନୀରବେ ଅଛଇ ଧରି ।

ଦୂରରୁ ଦେଖିଲେ ହେଲେ, ସେ ଶଇଳ ଭଗ୍ନ ସେ ଗଡ଼ ଶିଳା

ଛାତି ଫୁଲିଯାଏ ! ସେଇ ବୀରବେଶେ ଯୁଦ୍ଧ ସେ କରୁଥିଲା ।

•••

 

ଆହୁତି

 

ବୀର ଓଡ଼ିଆର ଶେଷ ସ୍ୱାଧୀନତା ସେ’ ଦିନ ପାଇଲା ଲୋପ

ଗିରିକନ୍ଦରୁ ବିଦେଶୀ ଯେ ଦିନ ମାଇଲା ବାରୁଦ ତୋପ;

ସେ ଦିନ ଏ ଜାତି ମୂକ ପଶୁଭଳି ନ ଥିଲା ନୀରବ ରହି

ଦେଖିଚି ସେ ଦିନ ବରୁଣୀ ଶଇଳ ବନ ପ୍ରାନ୍ତର ନଈ,

ଦେଖିଚି ସେ’ଦିନ ଆକାଶ ପବନ ଦେଖିଚି ଚନ୍ଦ୍ର ତରା

ଦୁର୍ଗେ ଦୁର୍ଗେ ଦୁର୍ଗପତିର ସୈନ୍ୟ ଡାକରା ପରା,

ସେ ଦିନ ପାଇକ ଦଳ ଦଳଦଳ ବାନ୍ଧି କଟୀରେ ଫରି,

କୁଟୀର ବରଜି ବାହାରି ପଡ଼ିଲେ ଖଣ୍ତା ପରଶୁ ଧରି ।

ସେ’ଦିନ ଏ ଦେଶ ପୁରପଲ୍ଲୀରେ ଖେଳିଗଲା ଜାଗରଣ

ବାଜିଲା ତୂର୍ଯ୍ୟ ବାଜିଲା ଶିଙ୍ଗା ଘନ ଘନ ଘନ ଘନ,

ପଥେ ପଥେ ଯହିଁ ଦୃଷ୍ଟି ପଡ଼ଇ ଖାଲିରେ ଖଣ୍ତାୟତ

ଗାଆଁ, ଗାଆଁ ମେଳି ସଭା ବଇଠକ ଲାଗିଅଛି ଅବିରତ,

ବଇରୀର ସାଥେ ଯୁଦ୍ଧ କରରେ ଖୋର୍ଦ୍ଧାର ରଖ ମାନ,

ବନ୍ଦୀ ଏ ଜାତି ଗଜପତି ରଜା ପରଜା ଯେ ହଇରାଣ,

ଆମ ବିଲ ବଣ ଆମ ନଈ ନାଳ ଆମ ପ୍ରାନ୍ତର ପଥ

କାହାରି ଉପରେ ହାତ ନାହିଁ ଆମେ ପଙ୍ଗୁ ଓ ପଦାନତ,

ସପ୍ତପୁରୁଷ ଏଇମାଟି ପରେ ନ ଥିଲେ ଭୋଗି ଏ ଦଶା

ବୀରର ଶୁତ୍ର ଶୋଣିତୁ ଜନମି ରହିବାକି ହୋଇ ମଶା ?

ବରଷ ବରଷ ତିନିଶ ବରଷ ଧରି ଏ ପାଇକ ଜାତି

ଯବନ ବିରୁଦ୍ଧେ ଯୁଦ୍ଧ କରିଚି ଇସ୍‌ପାତ ଛାତି ପାତି,

ଧମନୀ ଶୋଣିତେ ସ୍ୱାଧୀନ ଜୀବନ ସପନ ଦେଖେ ଯେ ଜାତି

ମରଣ ବୁକୁରେ ଠିଆହୋଇ ଯେହୁ ଚାଳେ ତଳୁଆର କାତି,

ମଣିଷ ଦେଶରେ ମଣିଷ ପରାଏ ମଣିଷର ମାନ ଧରି

ଚଳିବା ଯାହାର ଜୀବନର ନୀତି ଜନମ ଜନମ ଭରି,

ପରର ଗୋଲାମି, ପର ନୌକରି ରକ୍ତେ ଯା ନାହିଁ ଲେଖା,

ପରର ପଦିଏ ଆଣ୍ଟି ବଚନ ସହି ପାରେନି ଯା’ଟୋକା,

ଅନ୍ୟାୟ ଆଉ ଅନୀତି ଦେଖିଲେ ଚରଣେ ଯେ ଦିଏ ଦଳି,

ଦେଶ ମଙ୍ଗଳ ଲାଗି ଯେ ପାଗଳ ପରି ଦିଏ ଶିର ବଳି ।

ଆମେ ସେଇ ବୀର ଖଣ୍ତାୟତରେ ଆମେରେ ପାଇକ ଜାତି

ନିର୍ବଳ ନୁହେ, ନିଷ୍‌ପ୍ରଭ ନୁହେ ଆମ ନିର୍ଭୀକ ଛାତି

ଜନମ ନ ହୋଇ ମାଆ ପେଟେ ରହି ଆମରି ପାଇକ ପିଲେ

ଦେଶପାଇଁ ପରା ଜୀବନ ଦେବାକୁ ଶପଥ ଯେ କରୁଥିଲେ ।

ଖୋର୍ଦ୍ଧା ଭୂଇଁର ବୀର ସେନାପତି ବକ୍‌ସି ବିଦ୍ୟାଧର

ବୁକୁରେ ଯାହାର ଅମିତ ସାହସ ଦେହରେ ଅମିତ ବଳ,

ଖୋର୍ଦ୍ଧା ମାଟିର ଏକଇ ଯୋଦ୍ଧା ମୁକୁଟ ବନ୍ଧା ଶିରେ

ଚାଲି ଯାଉଥିଲେ ସେନାପତି ସାଜି କା ମଥା ଲଏଁନି ତିଳେ !

ଜାତିର ଦେଶର ଖଣ୍ତାୟତର ଗର୍ବ ସେ ବୀରମଣି

ଲଇଁନାଇଁ କାହା ପାଦତଳେ ଶିର, ବୀର ବଇଭବ ଖଣି

ନୟନେ ଜଳଇ ଅଗ୍ନି ତାହାର ବିପ୍ଳବ ଶିଖା ତୋଳି

ବାହୁ ବିକ୍ରମେ ସକଳ ବିଶ୍ୱ ରହିବ ଯେ କରଯୋଡ଼ି ।

ସ୍ୱାଧୀନ ଶୋଣିତେ ଜନ୍ମ ତାହାର ମାନେନା କାହାରେ ମୂଳେ

ପରାଧୀନତାର ଶୃଙ୍ଖଳ ତାର ଜୀବନର ବହୁ ଦୁରେ !

ଖୋର୍ଦ୍ଧାରେ ଯେତେ ବନ କାନ୍ତାର ଶ୍ୟାମ ପ୍ରାନ୍ତର ପଥ,

ପଲ୍ଲୀନଗର ବିଲ ପଦା ଭୂଇଁ ଦୃଶ୍ୟ ଯେ ଶତ ଶତ,

ତାର ପରିଚୟ ସକଳର, ସହ ଖୋର୍ଦ୍ଧା ତା ପ୍ରିୟ ମାଟି

ଖୋର୍ଦ୍ଧାପାଇଁକି ସମସ୍ତ ସେହୁ ଦେଇପାରେ ବୁକୁ କାଟି

ବୀରମ ଟି ଏଇ ଖୋର୍ଦ୍ଧା ଭୂଇଁର ସେଇ ବୀର ସେନାପତି

ସବୁ ସଂପତ୍ତି ସବୁ ବଇଭବ ଆଜି ଯେ ହରାଇଛନ୍ତି,

ଜୀର୍ଣ୍ଣ ବସନ ଦେହେ ପରିଧାନ ଅନ୍ନ ନ ମିଳେ ମୁଠେ

ଗଭୀର ଦୈନ୍ୟ ଯାତନା ଭିତରେ ତଥାପି ସାହସ ଫଟେ,

ବୁକୁତଳେ ସେଇ ଧୈର୍ଯ୍ୟ ରହିଚି, ରହିଚି ମନର ବଳ

ନିଃସ୍ୱ ହେଲେବି ନିଃସ୍ୱ ହୋଇନି ଶୋଣିତ ଉଷ୍ମତବ,

ଶତ ଶତ ବୀର ଖଣ୍ତାୟତର ଅଗ୍ରଣୀ ସେଇ ବୀର

ବିଦେଶୀ ବଇରୀ ଅନାଚାର ବଳେ ଲଇଁ ଯାଇନାଇଁ ଶିର

ଅଭିଳାଷ ଯାର ହିମାଳୟ ପରି ଲକ୍ଷ୍ୟ ଯା ସୀମାହୀନ

ଡ଼ରି ଯିବନି ସେ ଥରି ଯିବନି ସେ ହେଲେ କାଙ୍ଗାଳ ଦୀନ ।

ବିଶାଳ ପାଇକ ସେନାଏ ଦେଶର ରହିଚି ଯା ପଛପଟେ

ଦୁଃଖ ଦୈନ୍ୟ ନିଆଶା ଭିତରେ ସେ କି କେବେ କାହିଁ ହଟେ ?

ବଜ୍ର ପରି ସେ ଗଢ଼ିଛି ନିଜକୁ ବିପଦ ଭିତର ଦେଇ

ସହି ପାରିଲାନି ବକ୍ଷ ତାହାର ବଇରୀ ଅନୀତି ନେଇ ।

ରକ୍ତ ତାହାର କାନ୍ଦି ଉଠିଲା, ବକ୍ଷ ଉଠିଲା ଥରି

ସିଂହ ଜାଗିଲା ବୁକୁତଳେ ତାର ପଳୟ ରଚନା କରି

ଗଢ଼ିଲି ଯେ ଦେଶ ଧମନୀରୁ ଢାଳି ଶତେକ ଉନ୍ମାଦନା

ସେଇ ଦେଶ ମୋର ନାରଖାର ଆଜି ! କି ଗଭୀର ଯନ୍ତ୍ରଣା !

ବକ୍‌ସି ବୁକୁରେ ଅଗ୍ନି ଜଳିଲା ଚମକାଇ ଦଶଦିଶ

ବାହାରି ପଡ଼ିଲେ ଭେଣ୍ତା ପାଇକ ଗଉରବେ ମୋଡ଼ି ନିଶ

ବକ୍‌ସି କହିଲେ ଗାଁଆ ଗାଁଆଗାଁଆ ରାଇଜ ରାଇଜ ବୁଲି

ଆମରି ଦେଶ ଏ ଆମରି ମାଟଇ ଏ ଯାଅନି ଯାଅନି ଭୁଲି ।

ଜନମ ମାଟି ଯେ ଜନମ ଦେଇଚି ଆଣିଚି ସୋହାଗେ ପାଳି,

ବଣ ପରବତ ବିଲ ପ୍ରାନ୍ତରେ ଲକ୍ଷ ସୁଷମା ବାଢ଼ି,

ତାରି ସନ୍ତାନ ଆମେରେଓଡ଼ିଆ, ଆମେରେ ପାଇକ ଜାତି,

ତାରି ମଙ୍ଗଳ ଲାଗି ଗୁଳି ଆଗେ ପତାଇ ଦେବାରେ ଛାତି

ଆଜି ତ ମରିବା କାଲି ତ ମରିବା, ମରିବା ତ ଦିନେ ହେଲେ

ଜାତି ସମ୍ମାନ ଲାଗି ନ ମରିବା କହ କିଆଁ ଏତେବେଳେ ?

ଯେ ପାଇକ ଦିନେ ଜିଣିଛି ଏ ଦେଶ ଗଙ୍ଗାରୁ ଗୋଦାବରୀ

ଯେ ପାଇକ ଦିନେ ଏ ସାରା ଦେଶରେ ଗର୍ବ ଦେଇଚି ଭରି

ସକଳ ରାଇଜ ଶିର ଲଇଁଅଛି ଯାହା ତରବାରୀ ମୁନେ,

ଯୁଦ୍ଧ ପାଇଁକି ଗଢ଼ା ଯା ଶୋଣିତ ଆଜନ ମୁଁ କୋଟିଗୁଣେ

ମୃତ୍ୟୁକୁ ଯେହୁ ମାରି ଦେଇ ପାରେ ସ୍ୱାଧୀନ ଜୀବନ ପାଇଁ

ଧରଣୀ ଉପରେ ଦୁଃଖ ଅଭାବ ଭୟ ବା ତାହାର କାହିଁ ?

ସେଇ ସେଇ ଆମେ ପାଇକ ଜାତିରେ ଉଠହେ ଉଠହେ ଉଠ

ଏ ଦେଶ ବୁକୁରେ ଫୁଟିବାକୁ ହେଲେ ଫୁଟିବାର ପରି ଫଟ,

ପର ପାଦତଳେ ମସ୍ତକ ବିକି, ବିକି ଧନ ଯଶ ମାନ

ମରିଯିବା ଠାରୁ ବଞ୍ଚି ରହିବା ନୁହେ ଘୋର ଅପମାନ ?

ଯେ ଶାସନେ ନାହିଁ ନ୍ୟାୟ ଓ ଧର୍ମ ଖାଲି ଅନାଚାର ବୋଳା

କଥା କହିଲେରେ ଉତ୍ତର ଯହିଁ ମିଳେ ନାଲି ଆଖି ଡ଼ୋଳା

ବୁଭୁକ୍ଷୁ ଯହିଁ ଅନ୍ନ ପାଏନା; ଯହିଁ ଶେଠ ସାଉକାର;

ଧନ ସମ୍ପଦ ବଢ଼ାଇ ବଢ଼ାଇ ହୁଅନ୍ତି ବଳିଆର ।

ସେଇ ଶାସନର ଆସନ ଧରାରେ ଚୂର୍ଣ୍ଣ କରିବା ପାଇଁ

ଜାଗ୍ରତ ହୁଅ ଜାଗ୍ରତ ହୁଅ ହେ ମୋର ଭଉଣୀ ଭାଇ !

ବିଲ ପ୍ରାନ୍ତର ଟାଙ୍ଗି ପଡ଼ିଆ ସବୁଠି ଖଣ୍ତାୟତ

କେଉଁଠି ଚାଲିଛି ଅସ୍ତ୍ରଚାଳନା, କୁସ୍ତି ଓ କସରତ;

ଗିରି ଖୋଲ ବନ କାନ୍ତାର ଭରି କାହିଁ ମନ୍ତ୍ରଣା ଚାଲେ

ଦିନରାତି ବୁଲି ଜଗତବନ୍ଧୁ ଉନ୍ମାଦନା ଯେ ଢାଳେ,

ତେଜୀୟାନ କର, ରକ୍ତ ତମର ତେଜୀୟାନ କର ବୀର

ଖୋର୍ଦ୍ଧା ଭୂଇଁର ସ୍ପର୍ଦ୍ଧା ରଖ ହେ ବଳିଦେଇ ନିଜ ଶିର ।

ମୁକ୍ତି କେତନ ଉଡ଼ାଅ, ବଢ଼ାଅ ଗଜପତି ରାଜା ମାନ

ଯାଇଚି ଯେ ଦେଶ, ଆସିବ ସେ ଦେଶ କର କର ଅଭିଯାନ

ଶ୍ମଶାନ ଯାହା ଯାଇଚି ପାଲଟି ନନ୍ଦନଭୂଇଁ ଗଢ଼

ତୁମରି ରକ୍ତେ ସିକ୍ତ ସବୁଜ ଦିଶୁ ଏ ଧରଣୀ ଜଡ଼,

ତୁମରି ମାଟିରେ ତୁମରି ମାଟିର ଜୀବନ ବିରଚୁ ଖେଳ,

ହସି ଉଠୁ ତୁମ ମାଟିଖଣ୍ତିକ ନିବହି ମମତା ମେଳ,

ତେଜୀୟାନ କର ରକ୍ତ ତମର ତେଜୀୟାନ କର ବୀର

ଖୋର୍ଦ୍ଧା ମାଟିର ସ୍ପର୍ଦ୍ଧା ରଖ ହେ ବଳିଦେଇ ନିଜ ଶିର !

ଗାଆଁରୁ ଗାଁକୁ ବଣ ପରବତ ନଦୀ କାନ୍ତାର ଦେଇ

ଜଗତ୍‌ବନ୍ଧୁ ଯାଏ ବୁଲି ବୁଲି ଅଗ୍ନି ମନ୍ତ୍ର ଦେଇ;

ସେଇ ମନ୍ତ୍ରରେ ମନ୍ତ୍ରିତ ହେଲା ଦଳିତ ଜାତିର ହିୟା

ରକ୍ତେ ରକ୍ତେ ଜଳି ଉଠିଲାରେ ଖାଲି ବିପ୍ଳବ ନିଆଁ ।

ସୁପ୍ତ ଜାତିର ସପନ ଭାଜିଲା ଗୁପ୍ତ ଶକତି ତାର

ଆଗ୍ନେୟଗିରି ପରାଏ ଛୁଟିଲାରେ ବାରବାର

ନାଚିଲା ନାଚିଲା ଖୋର୍ଦ୍ଧାମୂଲକ ପ୍ରତି ଗାଆଁ ପ୍ରତି ସାଇ

ରାଇଜେ ରାଇଜେ ସମ୍ବାଦ ନୁଆ ଶାସନ ରହିବ ନାଇଁ;

ମଲେରେ ମରିବା ଜୀଇଲେ ଜୀଇବା ଉଠିବା ଉଠିବା ଆମେ

ସ୍ୱାଧୀନ ହେବାକୁ ଯୁଦ୍ଧ କରିବା ବଇରିର ସାଥେ ଟାଣେ

ଜୀବନ ଆସିନି ପଙ୍ଗୁ ପରାଏ ରହିଥିବ କାଳ କାଳ

ଘୃଣା ଅପମାନ ଲାଞ୍ଛନା କରି କପାଳେ ତିଳକ ଗାର ।

ମୁକ୍ତ ଆକାଶ ତଳେ ଏ ଜୀବନ ମୁକ୍ତ ଧରଣୀ କୋଳେ,

ମୁକ୍ତିର ଗୀତ ଗାଇ ଚାଲିଥିବ ମୁକ୍ତି ମୟୁଖ ଡୋଳେ

ସେ ସୁଧା ଜୀବନ ଲକ୍ଷ ଆମର ବକ୍ଷ ଆମର ଚାହେ,

ରୁଦ୍ଧ କରିବ ଅନ୍ୟାୟ ଯହିଁ ବନ୍ୟା ପରାଏ ବହେ;

ଟମ୍‍ ଟମ୍‌ ଟମ୍‌ ବାଜିଲା ଟମକ ଟପ୍‌ ଟପ୍‌ ଚାଲେ ଘୋଡ଼ା

ଗାଆଁ ଗାଆଁ ଗାଆଁ ଚାଲିଲେ ପାଇକ ବହି ବନ୍ଧୁକ ଗୋଳା

ରାଜ୍ୟ ଆମର ଶାସନ ଆମର ଆମ ଗଜପତି ରଜା,

ଆମ ଅଧିକାର ରକ୍ଷାପାଇଁକିଉଡ଼ାଅ ରକ୍ତ ଧ୍ୱଜା;

ସ୍ୱାଧୀନତା ଆମ ଜୀବନ ଧର୍ମ ଆମ ଦେଶ ଆମ ଘର

ତାହାପାଇଁ ଆଜି ମରିବାକୁ ହେଲେ ମୃତ୍ୟୁ ବରଣ କର

ଉଠାଅ ଉଠାଅ ନିଶାଣ ଆମର ବିଷାଣ ବଜାଅ ଭାଇ

ଦଳ ପରେ ଦଳ ପାଇକ ସୌନ୍ୟ ଯୁଦ୍ଧ କର ହେ ଯାଇ;

ଚାଲିଲା ଚାଲିଲା ଭୀଷଣ ଯୁଦ୍ଧ ବୁଜି ହୋଇଯାଏ ଆଖି

ଚିଲିକା କୂଳରୁ ବରୁଣେଇ ଯାଏ ନାହିଁ କିଛି ଥାନ ବାକୀ

ବିଲ ବଣ ତୋଟା ଟାଙ୍ଗି ପଡ଼ିଆ ରକ୍ତେ ହୋଇଚି ଓଦା

ପାଇକ ସୈନ୍ୟ ଜୀବନ ମୂର୍ଚ୍ଛି ଗୋଟି ଗୋଟି ହେଲେ ଗଦା ।

ପର ପଦତଳେ ରହିବ ଜନନୀ ସହିବ ଶୋଣିତ କାହୁଁ

ସୈନ୍ୟ ଉପରେ ସୈନ୍ୟ ଚାଲିଲେ କୁହୁକ ପରାଏ ଆଉ

ଜାତି ଇତିହାସ ପ୍ରତି ପତ୍ରରୁ ସେ ଦିନ ଯାଇନି ମରି

ଦେଖିଚି ସୋଲରୀ, ଦେଖିଚି ଭାଲେରୀ, ଦେଖିଚି ନୟନ ଭରି ।

ବରୁଣେଇ ଗିରି ଶ୍ୟାମଳ ଶୃଙ୍ଖ ଅଙ୍ଗେ ନିଭେଇ ଅଛି

ପାଇକ ସୈନ୍ୟ ସମର ଯଜ୍ଞ କିଭଳି ପାଚିଚି ରଚି ।

ଚିଲିକାର ନୀଳ ନିର୍ମଳ ବୁକୁ ଫେନିଳ ଊର୍ମିତୋଳି

ଦେଖିଚି ଏ ଦେଶ ସାଥେ ପାଇକର ଅମର ସେନେହ ଡୋରି;

ଜୀବନର ଯେତେ ମଧୁ ବନ୍ଧନ, ପୁଅ ଭାରିଯାର ମୋହ,

ସକଳ ବରଜି ଜାତି ପାଇଁ ସେହୁ ସରଜିଛି ବିଦ୍ରୋହ,

ତା ହାଡ଼ ମାଂସ ଏ ମାଟି ଉପରେ ମାଟି ହୋଇ ଥିବ ରହି,

ଆଖିବୁଜି କିଏ କିଭଳି ଭାବରେ ଛାଡ଼ିଥିବ ଏଇ ମହୀ ।

ପ୍ରିୟ ପରିଜନ ଆତ୍ମୀୟଗଣ ପଡ଼ିଥିବେ କାର ମନେ,

ଦେଶ ପାଇଁ କିଏ ରକ୍ତ ଦେଇଚି କେଉଁ ଜଙ୍ଗଲ କଣେ

ସେଦିନ ଯାଇଚି ସେ କାଳ ଯାଇଚି ନାଇଁ ସେ ଯୁଦ୍ଧ ସତ

ସେ ବୀର ହୃଦୟ ତଳେ ଏ ଜାତିର ମଥା ହୋଇ ଯାଏ ନତ ।

ନାଇଁ ସେ ଦୁର୍ଗ ନାଇଁ ସେ ରାଜ୍ୟ ନାଇଁ ଗଜପତି ରାଜା

ଦୁର୍ଗ ହୋଇଚି ବଣ ଜଙ୍ଗଲ, ବାଜୁନି ଯୁଦ୍ଧ ବାଜା

ସେ ବୀର ମାଟିର ଶ୍ମଶାନ ପରେ ପାଇକ ଜାତିର ପ୍ରାଣ

ଫୁଟି ଉଠୁଥିବ ପଥିକ ପରାଣେ ଜଗାଇ ଗଭୀର ଟାଣ,

ସେଇ ମାଟିପରେ ବୀର ବକ୍‌ସିର ବକ୍ଷ ଉଠିଚି ଜାତି

ସେଇ ମାଟିପରେ କମାଣ ଆଗକୁ ପତାଇ ଦେଇଚି ଛାତି;

ସେ ମାଟିର ପ୍ରତି ଧୁଳି କଣିକାରେ ଖେଳିଚି ଜୀବନ ତାର

ସିଂହ ପରି ସେ ଜବତ୍‌ କରିଚି ବଇରୀ ଅତ୍ୟାଚାର

ସାରା ଓଡ଼ିଶାର ହୃତ୍‌ପିଣ୍ତ ସେ ରହିଥିଲା ଏକା ଜଣେ

ଜାତିର ସବୁରି ଅନ୍ତର ବ୍ୟଥା ବୁଝିଥିଲା ପ୍ରତିକ୍ଷଣେ;

କୋହିନୁର ପରି ଜଳୁଥିଲା ଦେଶେ, ଥିଲା ସେ ଜାତିର ବାଡ଼

କହିଲେ କହିବ ଗିରି ବରୁଣେଇ ଚିଲିକା ଊର୍ମିମାଳ;

ସେ ଜଗବନ୍ଧ ନାଇଁ ଆଜି, ନାଇ ପାଇକ ବାହିନୀ ତା’ର

ନାଇଁ ତାର ରଜା, ନାଇଁ ରାଜଗଡ଼ ପ୍ରିୟ ଭୂଇଁ ଖୋର୍ଦ୍ଧାର;

ସେଇ ସେ ଭଙ୍ଗାଗଡ଼ ଇଟା ମାଟି ସେହି ସେ ପାହାଡ଼ ନଈ

ରହିଅଛି ଏବେ ବୁକୁପରେ ବୀର ବକ୍‌ସିର ସ୍ମୃତି ବହି;

ଆଜି ଏଇ ଦେଶ ମାଟିରେ ପଥିକ ମାଡ଼ି ଚାଲିଗଲା ବେଳେ

ସେ’ଦିନର ସେଇ ଯୁଦ୍ଧ ବାଜଣା ପାଇକ ସଇନି ମେଳେ

ମନେ ପଡ଼ିଯାଏ, ଲଇଁ ଆସେ ମଥା ବକ୍‌ସିର କଥା ଭାଳି

ଜାତି ପାଇଁ ଆଉ ଏ ବୀର ମାଟିରେ ନିଆଁ କିଏ ଦେବ ଜାଳି ?

ଆଜି ଏଇ ଗଡ଼ ବଣ ବୁଦାଲଟା ଟାଙ୍ଗି ପଡ଼ିଆ ଚାହିଁ ।

ମନେପଡ଼େ ଏଥି କେତେ ପାଇକର ଜୀବନ ନଥିବ ଯାଇ ।

କା ଛାତି ଭିତରେ ବାଜିଥିବ ଚାକି, ବନ୍ଦୀ କେ ଥିବ ହୋଇ

ଫାସୀକାଠେ କିଏ ହୋଇଥିବ ଠିଆ ଦେଶର ଜୀବନ ପାଇଁ ।

ସେଇ ଶତ ବୀର ପାଇକ ବୁକୁର ସାହସ ଉନ୍ମାଦନା

ଏ ମାଟି ଉପରୁ ନିଭିନାଇଁ ଅଛି ଭରି ପ୍ରତିଧୂଳି କଣା

ବଞ୍ଚିଛି ଏଇ ଗଡ଼ ପ୍ରାନ୍ତରେ ବକ୍‌ସିର ବୀର ହିୟା !

ଦପ ଦପ ଦପ ଜଳୁଛି ତାହାର ନୟନୁ ଭୀଷଣ ନିଆଁ !!

ବରଷ ବରଷ ଫେରି ଚାଲି ଯିବ ସେଇ ସେ ଭଙ୍ଗାଗଡ଼

ତଳୁ ଫୁଟୁଥିବ ସ୍ୱାଧୀନ ମନ୍ତ୍ର ଶତ ଶତ ପାଇକର !!

ବାୟୁ ହିଲ୍ଲୋଳେ ଖେଳି ଖେଳିସେହୁ ବୁଲୁଥିବ ଅବିରଳ

ପେରାଣେ ପରାଣେ ବାଢ଼ି ଗଉରବେ ସ୍ୱାଧୀନ ଜୀବନ ବଳ !

•••

 

ଟିପ୍‌ପଣୀ

ଜୟୀ ରାଜଗୁରୁଙ୍କ ଉତ୍ସାହ ବାଣୀ

ଖୋର୍ଦ୍ଧା ରାଜା ମୁକୁନ୍ଦ ଦେବଙ୍କର ଗୁରୁ ଓ ପ୍ରଧାନ ସଚୀବ ଥିଲେ ଜୟୀ ରାଜଗୁରୁ । ୧୮୦୩ ଖ୍ରୀଷ୍ଟାବ୍ଦରେ ଇଂରେଜମାନେ ଓଡ଼ିଶା ନେବା ପରେ ଖୋର୍ଦ୍ଧା ରାଜାଙ୍କର ଜଗନ୍ନାଥ ମନ୍ଦିର ନେବାକୁ ଲୋଡ଼ିଲେ। ଜୟୀ ରାଜଗୁରୁଙ୍କୁ ଇଂରେଜମାନେ ଜଗନ୍ନାଥ ମନ୍ଦିରର ଭୂ-ସଂପତ୍ତିର ଆୟବ୍ୟୟ ହିସାବ ମାଗିଲେ ଏବଂ ମନ୍ଦିର ନେବାପାଇଁ ଚେଷ୍ଟା କଲେ । ଜୟୀ ରାଜଗୁରୁ ଏ ସଂପର୍କରେ ଇଂରେଜମାନଙ୍କୁ ସାହାଯ୍ୟ କଲେ ନାହିଁ । ବରଂ ରାଜ୍ୟର ସ୍ୱାଧୀନତା ରକ୍ଷା କରିବା ଲାଗି ପ୍ରଜାମାନଙ୍କୁ ଧରି ବୀର ବିକ୍ରମରେ ଇଂରେଜମାନଙ୍କ ସହ ଲଢ଼ିଲେ। ନିଜେ ଯୁଦ୍ଧର ସେନାପତିତ୍ୱ ନେଇ ବରୁଣେଇ ପାହାଡ଼ ତଳେ ହଜାର ହଜାର ପାଇକ ସୈନ୍ୟଙ୍କୁ ଦେଶକୁ ବିଦେଶୀ କବଳରୁ ମୁକୁଳାଇବା ପାଇଁ ଅଗ୍ନିମୟୀ ଭାଷାରେ ଉଦ୍‌ବୋଧନା ଦେଇଥିଲେ ।

ପୁରସ୍କାର

କବିତାଟି ପୂରାପୁରି ଖୋର୍ଦ୍ଧା ଅଞ୍ଚଳର ଗୋଟିଏ କିମ୍ବଦନ୍ତୀ ଉପରେ ପ୍ରତିଷ୍ଠିତ ।

କଜଳାଗଣ୍ତ

ଖୋର୍ଦ୍ଧାର ଅନତି ଦୂରବର୍ତ୍ତୀ କଜଳାଗଣ୍ତ ନିକଟରେ ଗୋଟିଏ ଦୁର୍ଗ ଥିଲା । ଇଂରେଜମାନେ ସେ ଦୁର୍ଗ ଅବରୋଧ କରିବା ସମୟରେ ସେହି ଦୁର୍ଗକୁ ରକ୍ଷା କରିବା ପାଇଁ କଳାବତୀ ନାତ୍ମୀ ଜଣେ ପାଇକବାଳା ଅସୀମ ସାହସର ସହିତ ଇଂରେଜମାନଙ୍କ ସହ ଲଢ଼ିଥିଲେ ଏବଂ ବୀରତ୍ୱ ସହିତ କଜଳାଗଣ୍ତରେ ନିଜକୁ ଝାସ ଦେଇଥିଲେ । ଏହି କିମ୍ବଦନ୍ତୀରୁ କବିତାଟିର ପ୍ରାଣ ପ୍ରତିଷ୍ଠା ।

ସୈନିକ ସମାଧି

ଅଠର କି କୋଡ଼ିଏ ବରଷର ଗୋଟିଏ ତରୁଣ ପାଇକ ସୈନ୍ୟ ଖୋର୍ଦ୍ଧା ପାଇକ ଯୁଦ୍ଧରେ ଗୋଟିଏ ଦିନ ଯୁଦ୍ଧ ଜିଣି ଏବଂ ସେ ଦିନ ଯୁଦ୍ଧରେ ଇଂରେଜମାନଙ୍କର ଜଣେ ସେନାପତିଙ୍କୁ ଖୋର୍ଦ୍ଧା ନିକଟବର୍ତ୍ତୀ ଗଙ୍ଗପଡ଼ାଠାରେ ମାରି ବିଜୟୀ ଭାବରେ ଫେରୁଥିଲା ବେଳେ ବିପକ୍ଷ ଦଳର ଶରାଘାତରେ ପ୍ରାଣ ହରାଇ ଭୂଇଁରେ ଆଖିବୁଜି ପଡ଼ିଗଲେ। ସେହି ସ୍ଥାନରେ ଗୋଟିଏ ପଥର ତାଙ୍କର ସମାଧି ପରି ରଖାଯାଇଛି । ସ୍ଥାନୀୟ କିମ୍ବଦନ୍ତୀ ଉପରେ କଳ୍ପନାର ରଙ୍ଗ ଦେଇ କବିତାଟି ଲେଖା ଯାଇଛି ।

ଏ ମାଟିର ଅମର ଶହୀଦ୍

ଖୋର୍ଦ୍ଧାର ଗଜପତି ରାଜା ମୁକୁନ୍ଦ ଦେବଙ୍କର ପ୍ରଧାନ ସଚୀବ ଜୟୀ ରାଜଗୁରୁ ଏ ଦେଶର କାହାକୁ ଅପରିଚିତ ନୁହନ୍ତି । ଖୋର୍ଦ୍ଧାର ସ୍ୱାଧୀନତା ରକ୍ଷା କରିବା ଲାଗି ଏବଂ ଜଗନ୍ନାଥ ଦେଉଳ ଇଂରେଜମାନଙ୍କ ହାତକୁ ନ ଦେବା ଲାଗି ସେ ପ୍ରାଣ ମୁର୍ଚ୍ଛି ଇଂରେଜମାନଙ୍କ ସହ ଲଢ଼ିଥିଲେ। ଯୁଦ୍ଧରେ ପରାସ୍ତ ହେଲେ ମଧ୍ୟ ଆତ୍ମସମର୍ପଣ କଲେ ନାଇଁ । ଖୋର୍ଦ୍ଧା ରାଜ୍ୟର ତଥା ଜଗନ୍ନାଥ ମନ୍ଦିରର ସମସ୍ତ କାଗଜପତ୍ର ଇଂରେଜମାନଙ୍କୁ ଦେବାକୁ ଘୃଣାଜନକ ମନେ କଲେ । ଇଂରେଜମାନେ ଶେଷରେ ତାଙ୍କୁ ବନ୍ଦୀ କରି ଖୋର୍ଦ୍ଧାର ଗୋଟିଏ ବରଗଛରେ ଫାସି ଦେଲେ । ଏ ଦେଶର ଜଣେ ସର୍ବଶ୍ରେଷ୍ଠ ଦେଶନାୟକ ଦେଶ ଓ ଜାତିର ସ୍ୱାଧୀନତା ପାଇଁ ଯେଉଁ ନିର୍ମମ ଫାସି ପାଇଲେ ତାହା କିମ୍ବଦନ୍ତୀ ଆକାରରେ ଏବଂ ଇତିହାସରେ ମଧ୍ୟ ଶୁଣାଯାଏ । ସେ ସମସ୍ତ କଥା ବସ୍ତୁକୁ ନେଇ କବିତାଟି ଲିଖିତ ।

ଜାତିର ଡାକ

ଜଣେ ଅସି ବର୍ଷର ବୃଦ୍ଧ ସେନାପତିଙ୍କୁ ଖୋର୍ଦ୍ଧାର କୌଣସି ଯୁଦ୍ଧରେ ସେନାପତିତ୍ୱ କରିବାକୁ ଆହ୍ୱାନ କରାଯାଇଛି ।

ସୈନିକର ଅନ୍ତିମ ମାଗୁଣୀ

ଖୋର୍ଦ୍ଧା ପାଇକ ଯୁଦ୍ଧରେ ମୃମୁର୍ଷୁ ଅବସ୍ଥାରେ ବରୁଣୀପାହାଡ଼ ତଳେ ପଡ଼ିଥିବା ଗୋଟିଏ ସୈନିକର ମନୋଭାବକୁ ନେଇ କବିତାଟି ଲିଖିତ !

ପାଇକ ଟୋକା

ଚିତ୍ରକୂଟ ପାହାଡ଼ ଓ ମନ୍ଦାକିନୀ ନଦୀ ଖୋର୍ଦ୍ଧାର ଅନତି ଦୂରବର୍ତ୍ତୀ ରାମେଶ୍ୱର ଗାଁ ପାଖରେ; ପାଇକ ଟୋକା ସେଇଠି ପାଇକ ବିଦ୍ରୋହ ସମୟରେ ଯୁଦ୍ଧ କରିଥିବା ଅନୁମାନ ।

ପାଇକ ବଧୂର ଉଦ୍‌ବୋଧନ

ଖୋରଧା ପାଇକ ବିଦ୍ରୋହ ସମୟରେ ଗୋଟିଏ ପାଇକ ଘରର ବୋହୂ ନିଜର ସ୍ୱାମୀକୁ ଯୁଦ୍ଧ କରିବାକୁ ଯୁଦ୍ଧଭୂଇଁକୁ ପଠାଇଛି-କବିତାର କଥାବସ୍ତୁ କିମ୍ବଦନ୍ତୀରୁ ଗୃହୀତ ।

 

ଆହୁତି

୧୮୧୭ ମସିହାରେ ଖୋରଧାରେ ପାଇକ ବିଦ୍ରୋହ ଓଡ଼ିଆ ଇତିହାସରେ ଗୋଟିଏ ବିଶିଷ୍ଟ ଘଟଣା-ଏହି ବିଦ୍ରୋହର ନାୟକ ଥିଲେ ବକ୍ସି ଜଗବଂଧୁ ବିଦ୍ୟାଧର। ଇଂରେଜ ଶାସନାଧୀନରେ ତାଙ୍କର ଜାଗିରି ରାହାଙ୍ଗ ସିରେଇ ଚବିଶ କୁଦ ୩ଟି ପ୍ରଗନା ଖାସ୍‌ କରାହୋଇ କର ଧ୍ୟାର୍ଯ୍ୟ ହେଲା । କେତେ ବର୍ଷ ପରେ ସେ ଗୁଡ଼ିକର ସତ୍ୱ ଚାଲିଗଲା । ଏ ଘଟଣାରେ ଜଗବନ୍ଧୁ ତାହା ଫେରି ପାଇବାକୁ ଆବେଦନ କଲେ । ତାଙ୍କ ଆବେଦନ ପତ୍ର ଅଗ୍ରହ୍ୟ ହେଲା; ଇଂରେଜ ଶାସନରେ ନାନା ଦୁର୍ନୀତି ଦେଖି ସେ ପାଇକମାନଙ୍କୁ ନେଇ ଇଂରେଜଙ୍କ ବିରୁଦ୍ଧରେ ଯୁଦ୍ଧକଲେ। ତାଙ୍କର ଉଦ୍‌ବୋଧନାରେ ହଜାର ହଜାର ପାଇକ ସୈନ୍ୟ ସେ ଯୁଦ୍ଧ ଯଜ୍ଞାରେ ଜୀବନ ଆହୁତି ଦେଲେ । ଭାରତର ଇତିହାସରେ ସେ ସମର କାହାଣୀ ଯୁଗଯୁଗ ଧରି ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ରହିବ-ଜଗବନ୍ଧୁ ହାରିଲେ ସତ କିନ୍ତୁ ତାଙ୍କ ନେତୃତ୍ୱରେ ପାଇକ ସୈନ୍ୟମାନଙ୍କର ଦେଶର ସ୍ୱାଧୀନତା ପାଇଁ ଯେଉଁ ଯୁଦ୍ଧ ଯାତ୍ରାଉନ୍ମାଦନା ଏବଂ ଜଗବନ୍ଧୁଙ୍କର ଯେଉଁ ଦେଶପ୍ରୀତି-ତାହାର ଗୋଟିଏ ଜୀବନ୍ତ ଚିତ୍ର ଦେବାପାଇଁ ଏ କବିତାଟିର ପରିକଳ୍ପନା ।

Image